‘ବିକାଶ ବାହନ ଯାତ୍ରା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
୩୧୪ ଟି ବ୍ଲକ, ୧୧୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ୫ଟି ମହାନଗର ନିଗମରେ ଗଡ଼ିଲା ସ୍ୱତନ୍ତ୍ର ‘ବିକାଶ ବାହନ’
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ମହାତ୍ମାଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ତରୀୟ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗଣତନ୍ତ୍ରରେ ଜନତା ହେଉଛନ୍ତି ଜନାର୍ଦ୍ଦନ। ଜନତାଙ୍କ ସେବାରେ ହିଁ ଜୀବନର ସାର୍ଥକତା। ଏହି ଏକ ବର୍ଷରେ ଅନେକ କ୍ଷେତ୍ରରେ ଓଡ଼ିଶାର କାୟାକଳ୍ପ ହୋଇଛି। ମହିଳା, କୃଷକ, ଆଦିବାସୀ ଓ ଯୁବବର୍ଗର ସଶକ୍ତିକରଣ ସହିତ ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି। ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଆଶାର ସମ୍ଭାର ସୃଷ୍ଟି ହୋଇପାରିଛି। ଆଜି ଯେଉଁ ବିକାଶ ବାହନ ଯାତ୍ରା ଆରମ୍ଭ ହେବାକୁ ଯାଉଛି, ତାହା ହେଉଛି ଆମ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଜନସାଧାରଣ ମାନଙ୍କୁ ଯୋଡିବାର ଆଉ ଏକ ପ୍ରୟାସ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ସ୍ୱଚ୍ଛ, ଉତ୍ତରଦାୟୀ ଓ ଲୋକାଭିମୁଖୀ ଶାସନର ଏକ ବର୍ଷ ପୂରଣ ଅବସରରେ ପ୍ରଶାସନକୁ ଜନ ସାଧାରଣଙ୍କ ଦ୍ୱାର ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଶାର ୩୧୪ ଟି ବ୍ଲକ, ୧୧୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ୫ଟି ମହାନଗର ନିଗମରେ ଗଡିବ ସ୍ୱତନ୍ତ୍ର ‘ବିକାଶ ବାହନ’ । ଏହି ବାହନ ଜରିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ‘ପ୍ରଗତି ପ୍ରବାହ’ ପୁସ୍ତକ ଏବଂ ଏକ ବର୍ଷର ସଫଳତାର ତଥ୍ୟ ସମ୍ବଳିତ ପୁସ୍ତିକା ମଧ୍ୟ ସମସ୍ତଙ୍କ ପାଖରେ ପହଞ୍ଚିବ । ଏହାଦ୍ୱାରା ଲୋକମାନେ ସରକାରଙ୍କ ବିଭିନ୍ନ ଯୋଜନା ଓ ସଫଳ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିପାରିବେ । ବିଭିନ୍ନ ଯୋଜନା ଉପରେ ଆଧାରିତ ଭିଡିଓ ମଧ୍ୟ ଦେଖିପାରିବେ।
ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ କହିଥିଲେ ଯେ, ଲୋକଙ୍କ ଆଶୀର୍ବାଦରେ ଆଜି ଡବଲ ଇଞ୍ଜିନର ସରକାର ଓଡ଼ିଶାର ସାମଗ୍ରିକ ବିକାଶ ଓ ସମୃଦ୍ଧିର ଦାୟିତ୍ବରେ ଅଛନ୍ତି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ସମୃଦ୍ଧ ଓଡ଼ିଶାର ନିର୍ମାଣ ପାଇଁ ସଂକଳ୍ପବଦ୍ଧ। ଏହି ସମୟ ରାଜ୍ୟର ବିକାଶ ଓ ରାଷ୍ଟ୍ରର ପ୍ରଗତି ପାଇଁ ସ୍ବପ୍ନ, ସଂକଳ୍ପ ଓ ସମ୍ଭାବନାର ସମୟ ପ୍ରମାଣିତ ହୋଇଛି।
ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ ଓ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ବିଭାଗୀୟ କମିଶନର ତଥା ସଚିବ ଗିରିଶ ଏସ. ଏନ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.