Latest Odisha News

BREAKING NEWS

ଗଞ୍ଜାମରେ ଶିଳ୍ପ କ୍ଷେତ୍ରରେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ ଘୋଷଣା 

ଭୁବନେଶ୍ୱର: ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶରେ ବ୍ୟାପକ ଶିଳ୍ପ ପ୍ରତିଷ୍ଠା ହେବ।ଗଞ୍ଜାମ ଜିଲ୍ଲାର ଯୁବକଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଅଞ୍ଚଳବାସୀଙ୍କ ଦାବୀକୁ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଭଳି କହିଛନ୍ତି।

ଆଜି ଗଞ୍ଜାମ ଜିଲ୍ଲା ଭୀମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ସେ ପ୍ରଥମେ ବିଦ୍ୟାଳୟର ପ୍ରତିଷ୍ଠାତା ଆଦର୍ଶ ଶିକ୍ଷକ ସ୍ବର୍ଗତ ଭଗବାନ ପଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ୧୯୨୪ ମସିହା ମାର୍ଚ୍ଚ ୧୫ ତାରିଖରେ ଏହି ବିଦ୍ୟାଳୟ ତାର ଶିକ୍ଷାଦାନର ଯାତ୍ରା ଆରମ୍ଭ କରି ଦୀର୍ଘ ୧୦ ଦଶନ୍ଧୀ ଧରି ସୀମାନ୍ତ ଅଂଚଳରେ ଜ୍ଞାନର ଆଲୋକ ବିକିରଣ କରିଆସୁଛି।

ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଆମେ ପ୍ରାକ୍‌-ପ୍ରାଥମିକ ଶ୍ରେଣୀ ଶିକ୍ଷା ବା ଶିଶୁବାଟିକା ଆରମ୍ଭ କରିଛୁ। ନୂତନ ଜାତୀୟ ଶିକ୍ଷାନୀତି ଆଧାରରେ ଓଡିଶାରେ ମଧ୍ୟ ନିପୁଣ ଓଡିଶା ମିଶନ ଆରମ୍ଭ କରାଯାଇଛି। ଏଥିରେ ଛାତ୍ରଛାତ୍ରୀ ମାନଙ୍କ ମୌଳିକ ସ୍ବାକ୍ଷରତା ଓ ସଂଖ୍ୟାଜ୍ଞାନ ବୃଦ୍ଧି ପାଇଁ ବ୍ୟବସ୍ଥା କରାଯାଇଛି।

ଭୀମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟରେ ସାମିଲ କରାଯିବ। ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ଏକ ଡି.ପି.ଆର ପ୍ରସ୍ତୁତ କରିବାପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସ୍କୁଲ ପକ୍ଷରୁ କରାଯାଇଥିବା ସମସ୍ତ ଦାବୀଗୁଡିକ ନିଶ୍ଚିତଭାବେ ପୂରଣ କରାଯିବ। ଏଥିପାଇଁ ଯାହା ଅର୍ଥ ଆବଶ୍ୟକ, ଆମ ସରକାର ନିଶ୍ଚିତ ଭାବେ ଯୋଗାଇଦେବେ ବୋଲି ଏହି ଅବସରରେ ସେ କହିଥିଲେ।

୨୦୩୬ରେ ଓଡିଶା ତାର ଶହେ ବର୍ଷ ପୂରଣ କରୁଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଆମର ଲକ୍ଷ୍ୟ ରହିଛି । ସମୃଦ୍ଧ ଓଡିଶା ଗଠନ ଦିଗରେ ଶିକ୍ଷାର ମହତ୍ବପୂର୍ଣ୍ଣ ଭୂମିକା ରହିବ । ତେଣୁ ଉଭୟ ପ୍ରାଥମିକ ଓ ଉଚ୍ଚଶିକ୍ଷାକୁ ସୁଦୃଢ କରିବା ପାଇଁ ଆମ ସରକାର ବଦ୍ଧପରିକର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ସ୍କୁଲର ୪ ଜଣ ବର୍ଷୀୟାନ ପୁରାତନ ଛାତ୍ର ଏବଂ ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ପରିବାର ସଦସ୍ୟଙ୍କୁ ମଞ୍ଚକୁ ଡାକି ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଜିଲ୍ଲା ଓ ରାଜ୍ୟସ୍ତରରେ କୃତୀତ୍ବ ଅର୍ଜନ କରିଥିବା ୫ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ।

ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା ଏବଂ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖିଥିଲେ। ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଗଞ୍ଜାମ ଜିଲ୍ଲାପାଳ, ସାମନ୍ତିଆପଲ୍ଲୀ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ଏହି କାର୍ଯ୍ୟକ୍ରମରେ ସ୍କୁଲର ପୁରାତନ ଛାତ୍ର ରାଧାକୃଷ୍ଣ ନାୟକ ସ୍ବାଗତ ଭାଷଣ ଦେଇଥିଲେ। ପ୍ରଧାନଶିକ୍ଷକ ସନ୍ତୋଷ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଶିକ୍ଷକ ଚିତ୍ତରଞ୍ଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

 

Comments are closed.