Latest Odisha News

ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ; ବିଭିନ୍ନ ଉଦ୍ୟୋଗୀଙ୍କ ସହ କରିବେ ଆଲୋଚନା

ଭୁବନେଶ୍ବର : ଆଜି ଜାପାନ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓରେ ଆୟୋଜିତ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗଦେବା ସହ କ୍ୟୁଟୋ ଓ ଓସାକା ଭଳି ମହାନଗରୀ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଜାପାନ ଯିବେ ବୋଲି ଜଣାପଡ଼ିଛି । ଆସନ୍ତା ସପ୍ତାହ ୧୦ କିମ୍ବା ୧୧ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଫେରିବାର କାର୍ଯ୍ୟକ୍ରମ ରହିଛି ।

ସେଠାକାର ନିବେଶକଙ୍କୁ ଆକୃଷ୍ଟ କରିବା ସହ ଓଡ଼ିଶାରେ ଜାପାନୀ ପୁଞ୍ଜି ନିବେଶ ସମ୍ପର୍କରେ ବିଭିନ୍ନ ଉଦ୍ୟୋଗୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଦୁବାଇରୁ ୨୧ହଜାର କୋଟି ଟଙ୍କାର ପୁଞ୍ଜି ଆସିବା ପରେ ଜାପାନରୁ ଅଧିକ ପୁଞ୍ଜି ଆଣିବା ପାଇଁ ପ୍ଲାନ୍ ରହିଛି । ଜାପାନ ସହ ଅନେକ କ୍ଷେତ୍ରରେ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ଥିବାରୁ ନିବେଶର ଏକ ବାତାବରଣ ସୃଷ୍ଟି ହୋଇପାରେ । ଜାପାନରେ ନିବେଶକଙ୍କୁ ପେଟ୍ରୋ କେମିକାଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ପ୍ଲାଷ୍ଟିକ, ବୟନଶିଳ୍ପ ଓ ପର୍ଯ୍ୟଟନ ଭଳି କ୍ଷେତ୍ରରେ ଅଧିକ ଆକୃଷ୍ଟ କରିବାକୁ ଉଦ୍ୟମ କରାଯିବା ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଓଡ଼ିଶାର ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜଭୁତ କରିପାରେ । ୨୦୧୮ ମେକ୍‌ଇନ୍‌ ଓଡ଼ିଶା କନକ୍ଲେଭରେ ଜାପାନର ପ୍ରତିନିଧି ମାନେ ସାମିଲ ହୋଇ ଓଡ଼ିଶା ସହ ବାଣିଜ୍ୟ ସମ୍ପର୍କ ମଜଭୁତ କରିଛନ୍ତି ।

ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲି ଗସ୍ତରେ ଯାଇଥିଲେ । ଫେରିବା ବାଟରେ ଦୁବାଇରେ ନିବେଶକ ସମ୍ମିଳନୀରେ ସେ ଯୋଗ ଦେଇଥିଲେ । ୨୦୦୦ରେ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ବିଦେଶ ଗସ୍ତ ।

Comments are closed.