ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଅପରାହ୍ନରେ ମୋଦୀଙ୍କୁ ଭେଟିବେ ନବୀନ
ଭୁବନେଶ୍ୱର: ରବିବାର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ସୋମବାର ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାର ମୁଖ୍ୟମନ୍ତ୍ରୀଙ୍କ ଅଫିସ ଏହି ସୂଚନା ଦେଇଛି । ଦୁଇ ମାସରେ ନବୀନଙ୍କର ଏହା ତୃତୀୟ ଦିଲ୍ଲୀ ଗସ୍ତ ହେବ । ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନବୀନ ଭେଟିବେ ବୋଲି ସୂଚନା ରହିଛି। କିନ୍ତୁ ଏହି ଗସ୍ତ ପଛର ଉଦ୍ଦେଶ୍ୟ ବାବଦରେ କୌଣସି ସୂଚନା ମିଳିନଥିବାରୁ ଏହାକୁ ନେଇ ଅନେକ ଚର୍ଚ୍ଚା ବଢ଼ିଛି ।
ଆଗକୁ ରାଷ୍ଟ୍ରପତି ନିର୍ବାଚନ ରହିଛି । ବିଭିନ୍ନ ମିଡିଆ ରିପୋର୍ଟ ଅନୁଯାୟୀ ନବୀନଙ୍କ ସହଯୋଗ ଆବଶ୍ୟକତା କରୁଛନ୍ତି ମୋଦୀ । ତେଣୁ ସାଉଥ ବ୍ଲକରେ ଦୁଇ ଲୋକପ୍ରିୟ ନେତାଙ୍କ ଭେଟଘାଟ ବେଳେ ଏହି ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଛି। ତେଣୁ ଏହି ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି । ଯଦି ପୂର୍ବ ରାଷ୍ଟ୍ରପତି ନିର୍ବାଚନ କଥା ଦେଖିବା ତାହେଲେ ସମଦୂରତାର କଥା କହୁଥିବା ନବୀନ ୨୦୧୨ ଏବଂ ୨୦୧୭ରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିଲେ। ତେଣୁ ଏଥର ମଧ୍ୟ ସମ୍ଭାବନା ରହିଛି ।
ଅନ୍ୟପଟେ ରାଜ୍ୟରେ ପୁରୀ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପକୁ ନେଇ ରାଜ୍ୟ ବିଜେପି ଯଦିଓ ଶାସକ ଦଳକୁ ଏତେଟା ରାଜନୈତିକ ଆକ୍ରମଣ କରିନି କିନ୍ତୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ପୁରୀ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ବିଭିନ୍ନ ସମୟରେ ଶାସକ ଦଳକୁ ଟାର୍ଗେଟ କରି ବ୍ୟାକଫୁଟକୁ ଠେଲି ଦେଇଛନ୍ତି। ସେହିପରି ଏଏସଆଇର ସତ୍ୟପାଠ ମଧ୍ୟ ଶାସକ ଦଳକୁ ଅଡୁଆରେ ପକାଉଥିବାରୁ ଏହି ଭେଟଘାଟ ବେଳେ ଏହି ବିବାଦର ସମାଧାନ ପାଇଁ ନବୀନ କିଛି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୯ ରୁ ମେ ୩ ଦିଲ୍ଲୀ ଗସ୍ତରେ ଥିଲେ ମୁଖ୍ୟମନ୍ତ୍ରୀ । ଏହି ସମୟରେ ବିଜ୍ଞାନ ଭବନରେ ଆୟୋଜିଚ ହାଇକୋର୍ଟ ବିଚାରପତିଙ୍କ ସମ୍ମିଳନୀରେ ସାମିଲ ହୋଇଥିଲେ। ଯେଉଁ ବୈଠକରେ ମୋଦୀଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ। ହେଲେ ଏହି ସମୟରେ କୌଣସି ଦ୍ୱିପାକ୍ଷିକ ଭେଟଘାଟ ହୋଇନଥିଲା।
Comments are closed.