ଭୁବନେଶ୍ୱର: ନୂଆ ପିସିସି ସଭାପତି ନିଯୁକ୍ତିର ସପ୍ତାହ ପରେ ଶନିବାର କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ଦଳରୁ ଇସ୍ତଫା ଦେଇଛନ୍ତି। ମୁଖପାତ୍ର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ଦଳର ପ୍ରାଥମିକ ସଦସ୍ୟ ପଦରୁ ମନୋଜ ମହାପାତ୍ର ଇସ୍ତଫା ଦେଇଛନ୍ତି। ଓଡ଼ିଶା ପିସିସିର ନବନିଯୁକ୍ତ ସଭାପତି ଶରତ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।
ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, କଂଗ୍ରେସ ଏବେ କିଛି ପ୍ରଭାବଶାଳୀଙ୍କ ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ। ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ଆଶାକୁ ପୂରଣ କରିବା ସମ୍ଭବ ନୁହେଁ। ତେଣୁ ସେ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ମନୋଜ ମହାପାତ୍ର କହିଛନ୍ତି। ମନୋଜ ଇସ୍ତଫା ଦେବାପରେ ଦଳରେ ମୁଖପାତ୍ର ସଂଖ୍ୟା 19କୁ ଖସି ଆସିଛି।
ଉଲ୍ଲେଖଯୋଗ୍ୟ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘନିଷ୍ଠ ବ୍ୟକ୍ତି ହେଉଛନ୍ତି ମନୋଜ ମହାପାତ୍ର । ଆଉ କୁହାଯାଏ ଦିଲ୍ଲୀରେ ଶୀର୍ଷ ନେତୃତ୍ୱଙ୍କ ପାଖରେ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି ନକରାଯାଉ ବୋଲି ଯେଉଁମାନେ ଦାବି କରିଥିଲେ ସେମାନଙ୍କ ମଧ୍ୟରେ ଥିଲେ ନରସିଂହ ମିଶ୍ର ଏବଂ ତାରା ବାହିନୀପତି। ତେଣୁ ମନୋଜ ମୁଖପାତ୍ର ପଦରୁ ଇସ୍ତଫା ଦେବା ପଛରେ ତାଙ୍କର ମେଣ୍ଟରଙ୍କର ଭୂମିକା ଥାଇପାରେ। ଆଗକୁ ଦଳର ମୁଖପାତ୍ର ଏବଂ ଅନ୍ୟାନ୍ୟ ପଦରେ ଥିବା ବ୍ୟକ୍ତିଙ୍କର ଅଦଳ ବଦଳ ହେବାର ସମ୍ଭାବନା ରହିଛି। ତେଣୁ ଆଗୁଆ ସତର୍କ ସୂଚନା ପାଇ ମନୋଜ ଇସ୍ତଫା ଦେଇଥାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
Comments are closed.