Latest Odisha News

କଂଗ୍ରେସରୁ ନିଲମ୍ବିତ ମୋକିମ ଏବଂ ଚିରଞ୍ଜୀବ ଆଗକୁ କରିବେ କ’ଣ?

ଭୁବନେଶ୍ୱର: ଆଗକୁ ବିଧାନସଭା ସହିତ ସାଧାରଣ ନିର୍ବାଚନ। ଟିକେଟ ନେବା ପାଇଁ ରାଜନୈତକ ଦଳର ନେତାଙ୍କ ମଧ୍ୟରେ ଏବେ ଜୋରସୋର ଉଦ୍ୟମ ଆରମ୍ଭ ହୋଇଛି । ତେଣୁ ଦଳ ଡିଆଁ ପର୍ବ ମଧ୍ୟ ଏକ ପ୍ରକାର ଆରମ୍ଭ ହୋଇଛି। ଏପରି ସ୍ଥିତିରେ କଂଗ୍ରେସର ଦୁଇ ବରିଷ୍ଠ ନେତା ମହମ୍ମଦ ମୋକିମ ଏବଂ ଚିରଞ୍ଜୀବ ବିଶ୍ବାଳ ନିଲମ୍ବିତ ହେବା ପରେ କରିବେ କ’ଣ ବା ଆଗାମୀ କାର୍ଯ୍ୟପନ୍ଥା କଣ ରହିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ବାରବାଟୀ-କଟକ ବିଧାୟକ ଥିବା ମୋକିମ ବିଜେଡିର ଘନିଷ୍ଠ ବୋଲି ଚର୍ଚ୍ଚା ହେଉଛି। ନିକଟରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ କରିଥିଲା। କିନ୍ତୁ ମୋକିମ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିଲେ। ପୂର୍ବତନ ବିଧାୟକ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ପୁଅ ଚିରଞ୍ଜୀବ ବିଶ୍ବାଳ ମଧ୍ୟ ଗତ କିଛି ମାସ ଧରି କଂଗ୍ରେସକୁ ସମାଲୋଚନା କରିଆସୁଛନ୍ତି।

ଏହି ଦୁଇ ନେତା ଏବେ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି। କାରଣ ବାରବାଟୀରେ ଦେବାଶିଷଙ୍କ ଅପେକ୍ଷା ମୋକିମଙ୍କ ଗ୍ରହଣୀୟତା ରହିଥିବା ଚର୍ଚ୍ଚା ହେଉଥିବା ବେଳେ ଦେବାଶିଷ ବାରବାଟି ଛାଡି ପାରାଦୀପ ଆସନ ଉପରେ ନଜର ପକାଇଥିବା କୁହାଯାଉଛି। ସେହିପରି ଜଗତସିଂହପୁର ତିର୍ତୋଲରେ ବିଷ୍ଣୁ ଦାସଙ୍କ ପୁଅ ବିଧାୟକ ହୋଇଥିଲେ ମଧ୍ୟ ନିଜ ପ୍ରେମିକାଙ୍କ ପାଇଁ ଆଗାମୀ ଦିନରେ ତାଙ୍କ ସ୍ଥାନରେ ବିଜେଡି ନୂଆ ଚେହେରା ଦେଖୁଛି ବୋଲି କୁହାଯାଉଛି। ଏପରି ସ୍ଥିତିରେ ଚିରଞ୍ଜୀବ ଏବଂ ମୋକିମଙ୍କ ପାଇଁ ବିଜେଡି ବାଟ ପରିସ୍କାର ରଖିଛି ବୋଲି କୁହାଯାଉଛି।

ତେବେ ଜଣେ ଉପମୁଖ୍ୟମନ୍ତ୍ରୀ ତଥା ଓଡିଶା କଂଗ୍ରେସର ଭେଟେରେନା ନେତା ଭାବେ ଖ୍ୟାତି ଥିବା ସ୍ବର୍ଗତ ବସନ୍ତ ବିଶ୍ୱାଳଙ୍କ ପୁଅ ବିଜେଡିରେ ଯୋଗଦେବେ ନାହିଁ ବୋଲି ତାଙ୍କ ସମର୍ଥକ କହୁଥିବା ବେଳେ ଆଉ କିଛି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓଡିଶା କଂଗ୍ରେସକୁ ଆଗକୁ ନେଇଥିଲେ। କିନ୍ତୁ ତାଙ୍କ ଜ୍ୱାଇଁ ପୁଣି କଂଗ୍ରେସ ଛାଡି ବିଜେପି ଓ ବିଜେଡିରେ ସାମିଲ ହୋଇଛନ୍ତି। ତେଣୁ ରାଜନୀତିରେ ଆଉ ସେଭଳି କୌଣସି ଲକ୍ଷଣରେଖା ନାହିଁ।

ଅନ୍ୟପଟେ ମୋକିମ କହିଛନ୍ତି, ସେ କଂଗ୍ରେସରେ ଅଛନ୍ତି ଆଗକୁ ରହିବେ । ଦଳୀୟ ଟିକେଟ ନମିଳିଲେ ସେ ସ୍ବାଧୀନ ଭାବେ ଲଢିବେ। ସେହିପରି ବିଶ୍ୱାଳ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଆସନ୍ତାକାଲି ପ୍ରେସମିଟ୍ କରି ଜଣାଇବେ ବୋଲି କହିଛନ୍ତି।

ଏହି ଦୁଇ ନେତାଙ୍କ ନିଲମ୍ବନକୁ ନେଇ କଂଗ୍ରେସ ଦଳରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରୀ ବୋଲି କିଛି ନେତା ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଏହି ନିଲମ୍ବନ ପରେ ଓଡ଼ିଶାରେ କଂଗ୍ରେସ ଆହୁରି ଦୁର୍ବଳ ହେବ ବୋଲି ଅନ୍ୟମାନେ ଚିନ୍ତା ପ୍ରକଟ କରିଛନ୍ତି।

ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ କମ୍ ସମୟ ବାକି ଥିବା ବେଳେ ମୋକିମ ଓ ବିଶ୍ୱାଳଙ୍କ ନିଲମ୍ବନ କଂଗ୍ରେସ ଦଳ ଉପରେ କି ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା।

Comments are closed.