ଭୁବନେଶ୍ୱର : ବଳତ୍କାର ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ । ତାଙ୍କୁ ମଞ୍ଚେଶ୍ୱର ପୋଲିସ ଗତକାଲି ରାତିରେ ଗିରଫ କରିଛି । ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ବଳତ୍କାର କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି । ଉଦିତଙ୍କ ବିରୋଧରେ ବିଏନଏସ ଧାରା ୬୪(୧), ୧୨୩, ୨୯୬, ୭୪,୩୫୧(୨) ଅଧିନରେ ମାମଲା ରୁଜୁ ହୋଇଛି ।
ସୂଚନା ଅନୁସାରେ, ମାର୍ଚ୍ଚ ୧୮ରେ ପୀଡ଼ିତା ତାଙ୍କ ଜଣେ ବନ୍ଧୁଙ୍କ ସହ ସନ୍ଧ୍ୟାରେ ମାଷ୍ଟରକେନଟିନ ବୁଲିବାକୁ ଯାଇଥିଲେ । ଏହି ସମୟରେ କଂଗ୍ରେସ ଛାତ୍ର ସଭାପତି ଉଦିତ ସେମାନଙ୍କ ଗାଡ଼ିରେ ବସିଥିଲେ । ଏହାପରେ ପୀଡ଼ତାଙ୍କୁ ବୁଲାଇନେବା ବାହାନାରେ ଉଦିତ ମଞ୍ଚେଶ୍ୱରର ଏକ ହୋଟେଲକୁ ନେଇଯାଇଥିଲେ । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ସେଠାରେ ଉଦିତ ଓ ଅନ୍ୟମାନେ ମଦ୍ୟପାନ କରିଥିଲେ । ଉଦିତ ତାଙ୍କୁ ମୃଦୁପାନୀୟରେ ନିଶାଦ୍ରବ୍ୟ ମିଶାଇ ଦେବାପରେ ତାଙ୍କ ମୁଣ୍ଡ ବୁଲାଇଥିଲା । ଏହି ସମୟରେ ପୀଡ଼ିତା ଜଣକ ଘରକୁ ଯିବାକୁ ଚେଷ୍ଟା କରିଥିବା ବେଳେ ଉଦିତ ତାଙ୍କୁ ଛାଡ଼ିନଥିଲେ । ପୀଡ଼ିତାଙ୍କୁ ଅଧିକ ନିଶା ହୋଇଯିବା ପରେ ଉଦିତ ତାଙ୍କୁ ବଳତ୍କାର କରିଥିବା ଅଭିଯୋଗ ହୋଇଛି । ମଞ୍ଚେଶ୍ୱର ପୋଲିସ ଆଜି ଉଦିତଙ୍କୁ କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି ।
Comments are closed.