Latest Odisha News

BREAKING NEWS

କରୋନା ସାଜିଲା ବରଦାନ: ସଙ୍ଗରୋଧ କେନ୍ଦ୍ରରେ ବିବାହ କଲେ ପ୍ରେମୀ ଯୁଗଳ

ନିମାପଡ଼ା: ଗୋଟିଏ ପଟେ ଯେଉଁଠି କରୋନା ପାଇଁ ସାରା ବିଶ୍ବରେ ଅଶାନ୍ତି, ସେହି ସମୟରେ ଏହା ଶାନ୍ତି ଆଣି ଦେଇଛି ଯୋଡ଼େ ଦମ୍ପତ୍ତିଙ୍କୁ। ସମଗ୍ର ବିଶ୍ୱକୁ କରୋନା ହନ୍ତସନ୍ତ କରୁଥିବା ବେଳେ ଓଡିଶାର ଏହି ଯୁବ ଦମ୍ପତ୍ତିଙ୍କୁ ଏହା ଦେଇଛି ନୂଆ ଜୀବନ ।

ମିଳିଥିବା ସୂଚନା ଅନୁସାରେ, ଏହି ଦମ୍ପତି ହେଉଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ସାଗଡା ଗାଁର ୧୯ ବର୍ଷୀୟ ଯୁବକ ସୌରଭ ଦାସ ଓ ତାର ପ୍ରେମିକା ପିଙ୍କିରାଣୀ ଦାସ। ଉଭୟ ଉଭୟଙ୍କୁ ପ୍ରେମ କରୁଥିବା ବେଳେ ଚଳିତ ବର୍ଷ ଜାନୁଆରୀରେ ଦୁହେଁ ନିଜ ନିଜ ଘରୁ ଲୁଚି ପଳାଇ ଯାଇଥିଲେ।

ଘରୁ ଲୁଚି ପଳାଇ ଯାଇ ଅହମ୍ମଦାବାଦରେ ଉଭୟ ରହୁଥିଲେ । ଅହମ୍ମଦାବାଦର ଏକ ପ୍ଲାଷ୍ଟିକ କାରଖାନାରେ ସୌରଭ କାମ କରୁଥିଲେ । ମାତ୍ର କରୋନା ଯୋଗୁଁ ସାରାଦେଶ ବନ୍ଦ ହୋଇ ଯାଇଥିବା ବେଳେ ଉକ୍ତ କାରଖାନା ମଧ୍ୟ ବନ୍ଦ ହୋଇ ଯାଇଥିଲା।

ତାଲାବନ୍ଦ ହୋଇଯିବା ପରେ ନିଜ ଘରକୁ ଫେରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଥିଲା। ବହୁ କଷ୍ଟ ପରେ ଏହି ଦମ୍ପତ୍ତି ଆସି ନିଜ ଗ୍ରାମ ସାଗଡାରେ ୧୦ ତାରିଖରେ ପହଞ୍ଚିଥିଲେ। ଏହାପରେ ୧୪ ଦିନ ଯାଏଁ ସଙ୍ଗରୋଧ ଭାବେ ରହିବା ପାଇଁ ସେମାନଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ରକୁ ନିଆଯାଇଥିଲା ।

ତେବେ ଉଭୟଙ୍କ ରିପୋର୍ଟ କରୋନା ନେଗେଟିଭ ଆସିଥିବା ବେଳେ ପିଙ୍କିରାଣୀ ଗର୍ଭବତୀ ଥିବା ଜଣାପଡିଥିଲା। ଏହା ଜାଣିବା ପରେ ସଙ୍ଗରୋଧ କେନ୍ଦ୍ରରେ ହିଁ ସେମାନଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିବା ସୂଚନା ମିଳିଛି ।

“ଯେହେତୁ ଝିଅଟି ଗର୍ଭବତୀ ଥିଲା, ତେଣୁ ଆମେ ସେମାନଙ୍କ ବିବାହ କରିବାକୁ ସ୍ଥିର କଲୁ” ବୋଲି କହିଛନ୍ତି ନିମାପଡ଼ା ବ୍ଲକ ବିକାଶ ଅଧିକାରୀ ମନୋଜ ବେହେରା। ଯେହେତୁ ସେମାନଙ୍କ ପରିବାର ସଦସ୍ୟ ମାନେ ସଙ୍ଗରୋଧ କେନ୍ଦ୍ରରେ ପ୍ରବେଶ କରିପାରିବେ ନାହିଁ, ଦୁଇଜଣ ଶିକ୍ଷକ ଯିଏ କି କ୍ୱାରେଣ୍ଟାଇନ ଦାୟିତ୍ୱରେ ଅଛନ୍ତି ସେମାନେ ବର ଓ କନ୍ୟାର ପିତାମାତା ଭାବରେ ଦାୟିତ୍ୱ ତୁଲାଇଥିଲେ । ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର, ଆଶା କର୍ମୀ ଏବଂ ଅଙ୍ଗନୱାଡି କର୍ମୀ ଏହି ବିବାହର ଆୟୋଜନ କରିବାରେ ସାହାଯ୍ୟ କରିଥିଲେ।

Leave A Reply

Your email address will not be published.