ଭୁବନେଶ୍ଵର: ରାଜ୍ୟ କ୍ରାଇମବ୍ରାଞ୍ଚ ଭିନ୍ନଭିନ୍ନ ୨ଟି ମାମଲାରେ ଅନଲାଇନ ପୁଞ୍ଜିନିବେଶ ଏବଂ ସେୟାର ବଜାରରେ ନିବେଶ କରି କୋଟିପତି ହେବାର ଆଶା ଦେଖାଇ ଜମାକାରୀଙ୍କୁ ଠକିଥିବା ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।
୨୦୨୩ ମସିହା ଅକ୍ଟୋବର ୪ରେ କଟକ ପୁରୀଘାଟ ଥାନା ଅଞ୍ଚଳରେ ରହୁଥିବା ୫୦ ବର୍ଷୀୟ ଜଣେ ବ୍ୟକ୍ତି ସେୟାର ବଜାରରେ ଟଙ୍କା ନିବେଶ କରି ଠକାମିର ଶିକାର ହୋଇଥିଲେ। ଅଭିଯୁକ୍ତମାନେ ପ୍ରଥମେ ତାଙ୍କୁ “C-51 ICICI Securities Official Stock” ନାମରେ ଏକ ହ୍ୱାଟ୍ସଆପ୍ ଗ୍ରୁପରେ ଯୋଡିଥିଲେ। ଏହାସହ ନକଲି ଆପ୍ ମାଧ୍ଯମରେ ସେୟାର ବଜାରରେ ଟଙ୍କା ନିବେଶ କରିବାକୁ ପ୍ରୋତ୍ସାହିତ କରିଥିଲେ।
ପରବର୍ତ୍ତୀ ସମୟରେ ଆଇପିଓ ମାଧ୍ୟମରେ ତାଙ୍କୁ ନକଲି ଋଣ ଅଫର ଦେଇ ଦେଢ଼ କୋଟି ଟଙ୍କା ଫେରସ୍ତ କରିବାକୁ ଅପରାଧୀ ମାନେ ଚାପ ପକାଇଥିଲେ। ପରେ ସାଇବର ଅପରାଧୀ ମାନେ ତାଙ୍କଠାରୁ ୨.୩୬ କୋଟି ଟଙ୍କା ଠକି ନେଇଥିଲେ। ଏସଂକ୍ରାନ୍ତରେ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି କୋଲକାତାର ନିଖିଲ ଜୟସ୍ୱାଲଙ୍କୁ ଗିରଫ କରିଛି। ପୂର୍ବରୁ ଏହି ଘଟଣାରେ ହାଇଦ୍ରାବାଦରୁ ମହମ୍ମଦ ଜାକିଙ୍କୁ ଗିରଫ କରାଯାଇଥିଲା।
ଅଭିଯୁକ୍ତ ନିଖିଲ ଅଭିଯୋଗକାରୀଙ୍କ ଠାରୁ ୧.୪୧ କୋଟି ଟଙ୍କା ଠକି ନେଇଥିଲା। ତଦନ୍ତ ଟିମ୍ ତାଙ୍କଠାରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଚାଟ୍ ର ସ୍କ୍ରିନ ସଟ, ଆଧାର ଏବଂ ପାନ୍ କାର୍ଡ, ବ୍ୟାଙ୍କ ଡକ୍ୟୁମେଣ୍ଟ ଜବତ କରିଛନ୍ତି। ଅନେକ ବ୍ୟାଙ୍କ ଖାତାକୁ ଫ୍ରିଜ୍ କରାଯାଇଛି।
ସେହିପରି ଅନ୍ୟ ଏକ ମାମଲାରେ କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ ୟୁନିଟ, ଓଡ଼ିଶା ତାପସ ହଲଦାର (୨୮)ଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି। ଏହି ମାମଲାରେ ଅଭିଯୁକ୍ତ ଜଣକ ମୋଟ ୬.୦୪ କୋଟି ଟଙ୍କା ଠକି ନେଇଥିବା ଜଣାପଡିଛି।ପୁଞ୍ଜିନିବେଶ, ସେୟାର ବଜାର ଏବଂ ଆଇପିଓ ମାଧ୍ୟମରେ ଅଧିକ ଟଙ୍କା ରୋଜଗାର କରିବାର ବଶବର୍ତ୍ତୀ ହୋଇ ଭୁବନେଶ୍ୱରର ରହୁଥିବା ଜଣେ ଡାକ୍ତର ଏହି ଠକାମିର ଶିକାର ହୋଇଥିଲେ।
ପ୍ରଥମେ ସାଇବର ଅପରାଧୀମାନେ ପୁଞ୍ଜି ନିବେଶ କରିବା ନାମରେ ସାଢେ ତିନି ମାସ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ୬.୦୪.୫୩.୦୦୦/- ଟଙ୍କା ଠକି ନେଇଥିଲେ। ପରବର୍ତ୍ତୀ ସମୟରେ ଜମା କରିଥିବା ଟଙ୍କା ଉଠାଇବାକୁ ଚେଷ୍ଟା କରି ଡାକ୍ତର ଜଣକ ବିଫଳ ହେବାରୁ ଠକାମିର ଶିକାର ହେବା ସଂକ୍ରାନ୍ତରେ ଜାଣିବାକୁ ପାଇଥିଲେ। ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ଅଭିଯୋଗକାରୀ ଡାକ୍ତର ୮ଟି ଭିନ୍ନଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୬.୦୪.୫୩.୦୦୦ ଟଙ୍କା ପଠାଇଥିଲେ। ଏହାପରେ ସାଇବର ଅପରାଧୀମାନେ ସେହି ଟଙ୍କାକୁ ୨୨ଟି ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ପରବର୍ତ୍ତୀ ସମୟରେ ଚେକ୍ ଓ ଏଟିଏମ୍ ମାଧ୍ୟମରେ ଟଙ୍କା ଉଠାଇ ନେଇଥିଲେ।
ପୂର୍ବରୁ ଏହି ମାମଲାରେ ପୋଲିସ ଦାର୍ଜିଲିଂର ଅଶୋକ ନନ୍ଦ ଓ ଜୟରାଣୀ ବସକକୁ ଗିରଫ କରିଥିଲା। ତଦନ୍ତ ଟିମ୍ ତାଙ୍କଠାରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଚାଟର ସ୍କ୍ରିନ ସଟ, ଆଧାର ଏବଂ ପାନ୍ କାର୍ଡ, ବ୍ୟାଙ୍କ ଡକ୍ୟୁମେଣ୍ଟ ଜବତ କରିଛି। ଅନେକ ବ୍ୟାଙ୍କ ଖାତାକୁ ଫ୍ରିଜ୍ କରାଯାଇଛି। ଅନ୍ୟ ସହଯୋଗୀ ଓ ଟଙ୍କାର କାରବାର ଉପରେ ପୋଲିସ ତଦନ୍ତ କରୁଛି।
Comments are closed.