Latest Odisha News

BREAKING NEWS

ଓଡ଼ିଶାର ପର୍ଯ୍ୟଟନକୁ ପ୍ରୋତ୍ସାହନ ପାଇଁ ୟୁକେସ୍ଥିତ ଭାରତୀୟ ହାଇ-କମିଶନରଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ

କେଣ୍ଟରେ ଚିଲିକା ରେସ୍ତୋରାଁକୁ କଲେ ଉଦଘାଟନ

ଭୁବନେଶ୍ୱର: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ବିକଶିତ କରିବା ଦିଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ୟୁନାଇଟେଡ୍‌ କିଙ୍ଗଡ଼ମ୍‌ ଗସ୍ତ କରିଛନ୍ତି।

ଏହି କ୍ରମରେ ୟୁନାଇଟେଡ୍‌ କିଙ୍ଗଡମ୍‌ରେ ଅବସ୍ଥିତ ଭାରତୀୟ ହାଇ-କମିଶନର ବିକ୍ରମ ଦୋରାଇସ୍ୱାମୀଙ୍କୁ ସାକ୍ଷାତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପରିଡ଼ା। ଏଥିସହିତ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲବନ୍ତ ସିଂ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସମର୍ଥ ବର୍ମା, ଅତିରିକ୍ତ ଶାସନ ସଚିବ ଅନୁପମ ସାହା ପ୍ରମୁଖ ବରିଷ୍ଠ ଅଧିକାରୀ ଏହି ସାକ୍ଷାତକାରରେ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ୟୁନାଇଟେଡ୍‌ କିଙ୍ଗଡମ୍‌ ଏବଂ ୟୁରୋପିଆନ ପରିଦର୍ଶକଙ୍କ ମଧ୍ୟରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଐତିହ୍ୟ, କଳା ଓ ସୌନ୍ଦର୍ଯ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ଆଲୋଚନା କରାଯାଇଥିଲା।

ଏହି ଅବସରରେ ହାଇ-କମିଶନର ଦୋରାଇସ୍ୱାମୀ ଟୁର୍‌ ଅପରେଟର୍‌ ଏବଂ ଡେଷ୍ଟିନେସନ୍‌ ମ୍ୟାନେଜମେଣ୍ଟ କମ୍ପାନୀର ସହଭାଗିତା, ସହଯୋଗରେ ଓଡ଼ିଶାର ପର୍ଯ୍ୟଟନକୁ ଲୋକାଭିମୁଖୀ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

ଏଥିସହିତ ଉପମୁଖ୍ୟମନ୍ତ୍ରୀ ଓଡ଼ିଶାର ପର୍ଯ୍ୟଟନ ନୀତି ସମ୍ପର୍କରେ ଆଲୋକପାତ କରିଥିଲେ, ଯାହା ନିବେଶକଙ୍କୁ ଅଧିକରୁ ଅଧିକ ଆକୃଷ୍ଟ କରିଆସିଛି । ବିଶେଷ କରି ଇକୋ ଟୁରିଜିମ୍‌, ଐତିହ୍ୟ ପର୍ଯ୍ୟଟନ, ସ୍ୱଚ୍ଛତା କ୍ଷେତ୍ରକୁ ସେ ପ୍ରାଧାନ୍ୟ ଦେଇଥିଲେ । ସେ ଓଡ଼ିଶାର ଅନନ୍ୟ ସମ୍ପଦ ଯଥା ବିସ୍ତୀର୍ଣ୍ଣ ବେଳାଭୂମି, ଘଞ୍ଚ ଅରଣ୍ୟ, ଅଭୟାରଣ୍ୟ, ମନ୍ଦିର, ସମୃଦ୍ଧ ହସ୍ତଶିଳ୍ପ ଓ କଳା ଉପରେ ଆଲୋକପାତ କରିଥିଲେ ।

ଏସିଆର ସର୍ବବୃହତ ଖାରିଜଳ ହ୍ରଦ ଚିଲିକାରୁ ଅନୁପ୍ରାଣିତ ହୋଇ ୟୁନାଇଟେଡ୍‌ କିଙ୍ଗଡମ୍‌ ସ୍ଥିତ କେଣ୍ଟ ଠାରେ ‘ଚିଲିକା’ ନାମକ ଏକ ରେସ୍ତୋରାଁକୁ ଉଦ୍‌ଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ଉକ୍ତ ରେସ୍ତୋରାଁରେ ଭାରତୀୟ ଖାଦ୍ୟ ସହିତ ଓଡ଼ିଶାର ସମୃଦ୍ଧ ଖାଦ୍ୟପେୟ ମଧ୍ୟ ସ୍ଥାନ ପାଇଛି। ବେକ୍ସଲେର ମେୟରଙ୍କ ସମେତ କାଉନସିଲର ପ୍ରମୁଖ ଏବଂ ଓଡ଼ିଶା ସୋସାଇଟି ଅଫ୍‌ ୟୁକେର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଗହଣରେ ଯୋଗଦେଇ ଓଡ଼ିଶାର ସଂସ୍କୃତିର ସନ୍ଦେଶ ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ।

ସୂଚନାଯୋଗ୍ୟ, ଓଡ଼ିଶାର ସ୍ୱତନ୍ତ୍ର ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚୟ ଦେବା ପାଇଁ ୱାର୍ଲ ଟ୍ରାଭେଲ୍‌ ମାର୍କେଟ ଲଣ୍ଡନ- ୨୦୨୪ରେ ଅଂଶଗ୍ରହଣ କରିଛି ଓଡ଼ିଶା ପର୍ଯ୍ୟଟନ। ଏହି କାର୍ଯ୍ୟକ୍ରମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ପ୍ରଚାରପ୍ରସାର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

 

 

Leave A Reply

Your email address will not be published.