ଭୁବନେଶ୍ବର: ଖରାପ ଅବସ୍ଥାରେ ଗତି କରୁଥିବା ଭାରତର ବିଦ୍ୟୁତ ବଣ୍ଟନ କ୍ଷେତ୍ରକୁ ପୁନରୁଦ୍ଧାର କରିବା ପାଇଁ ଶକ୍ତି ମନ୍ତ୍ରଣାଳୟ ଭାରତୀୟ ବିଦ୍ୟୁତ ଆଇନ, ୨୦୨୫ ରେ ଏକ ବଡଧରଣର ସଂଶୋଧନ କରିବାକୁ ଯାଉଛି । ଏଭଳି ସମୟରେ ଓଡ଼ିଶାରେ ସଫଳ ହୋଇପାରିଥିବା ବିଦ୍ୟୁତ ବଣ୍ଟନ କ୍ଷେତ୍ରର ଘରୋଇକରଣ, ଏକ ମଡେଲ୍ ଭାବରେ ଉଭା ହୋଇଛି ।
ଘରୋଇକରଣର ପାଞ୍ଚ ବର୍ଷ ପରେ, ରାଜ୍ୟର ଚାରୋଟି ବିଦ୍ୟୁତ୍ ବଣ୍ଟନ କମ୍ପାନୀ (ଡ଼ିସକମ୍) ସାମଗ୍ରିକ ବୈଷୟିକ ଏବଂ ବାଣିଜ୍ୟିକ କ୍ଷତି (ଏଟିଆଣ୍ତସି)କୁ ଦଶ ପ୍ରତିଶତରୁ ଅଧିକ ହ୍ରାସ କରିଛନ୍ତି, ଯ।ହା ଦ୍ୱାରା ଦକ୍ଷତା ଲାଭ ସହିତ ଏକ ବଡଧରଣର ଆର୍ଥିକ ପରିବର୍ତ୍ତନ ହାସଲ କରାଯାଇପାରିଛି । ଦୀର୍ଘ ଦିନ ଧରି ପ୍ରଭାବହୀନ ଏବଂ କ୍ଷତିରେ ଚାଲୁଥିବା ଏହି କ୍ଷେତ୍ରରେ ଓଡ଼ିଶା କରିଦେଖାଇଛି ଯେ, ଉତ୍ତରଦାୟୀ ଗଠନମୂଳକ ସଂସ୍କାର ମାଧ୍ୟମରେ ନିର୍ଭରଯୋଗ୍ୟ ସେବା ପ୍ରଦାନ ଏବଂ ଗ୍ରାହକଙ୍କୁ ଲାଭ ଦେବା ସମ୍ଭବ ହୋଇପାରିବ।
ଏହାର ଫଳାଫଳ ସ୍ପଷ୍ଟ । ଗତ ପ।ଞ୍ଚ ବର୍ଷ ମଧ୍ୟରେ, ଓଡ଼ିଶାର ଡିସକମ୍ ଗୁଡିକ ନେଟୱାର୍କ ଅପଗ୍ରେଡ୍, ପ୍ରଯୁକ୍ତିବିଦ୍ୟା ସମନ୍ୱୟ, କର୍ମଚାରୀ ତାଲିମ ଏବଂ ସୁରକ୍ଷାରେ ଉନ୍ନତି ପାଇଁ ପ୍ରାୟ ୫୦୦୦ କୋଟି ଟଙ୍କା ନିବେଶ ସହିତ ଦଶ ଲକ୍ଷରୁ ଅଧିକ ନୂତନ ବିଦ୍ୟୁତ ସଂଯୋଗ ସ୍ଥାନ କରିଛନ୍ତି । ରାଜ୍ୟ ସରକାରଙ୍କ ସହଭାଗୀତାରେ ଭାରତର ସବୁଠାରୁ ଅଭିଜ୍ଞ ୟୁଟିଲିଟି କମ୍ପାନୀଗୁଡ଼ିକ ମଧ୍ୟରୁ ଗୋଟିଏ ଟାଟା ପାୱାର ନେତୃତ୍ୱରେ, ବଣ୍ଟନ କମ୍ପାନୀ ଗୁଡ଼ିକ ବର୍ତ୍ତମାନ ୧୫୦୦୦୦ ବର୍ଗ କିଲୋମିଟର ଅଞ୍ଚଳରେ ବିସ୍ତାରିତ ପ୍ରାୟ ୧ କୋଟି ଉପଭୋକ୍ତାଙ୍କୁ ସେବା ପ୍ରଦାନ କରୁଛନ୍ତି, ଯାହା ଦ୍ୱାରା ରାଜ୍ୟର ପ୍ରାୟ ୫ କୋଟି ଲୋକ ଉପକୃତ ହେଉଛନ୍ତି ।
ଆଜି, ଏତେ କମ୍ ସମୟ ମଧ୍ୟରେ ଓଡ଼ିଶା ଡ଼ିସକମ୍ ଗୁଡିକୁ ଭାରତ ସରକାରଙ୍କ ବିଦ୍ୟୁତ ମନ୍ତ୍ରଣାଳୟ ଦ୍ୱାରା ବାର୍ଷିକ ମୂଲ୍ୟାଙ୍କନରେ ଦେଶର ଶ୍ରେଷ୍ଠ ଡିସକମ୍ ମଧ୍ୟରେ ସ୍ଥାନ ମିଳିଛି ।
ହୁଏତ ସବୁଠାରୁ ଉଲ୍ଲେଖନୀୟ ସଫଳତା ଗ୍ରାମାଞ୍ଚଳ ବିଦ୍ୟୁତୀକରଣରେ ମିଳିଛି । ପ୍ରଥମ ଥର ପାଇଁ, ଏକ ଘରୋଇ ସଂସ୍ଥା ଭାରତର ଗ୍ରାମାଞ୍ଚଳରେ ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ ପରିବର୍ତ୍ତନ ଆଣିପାରିଛି, ଐତିହାସିକ ଭାବରେ ଅବହେଳାର ଶିକାର ହୋଇଥିବା ଏହି ଅଞ୍ଚଳଗୁଡ଼ିକୁ ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ସୁନିଶ୍ଚିତ କରାଯାଇପାରିଛି । ଏହି ସଫଳତା ଓଡ଼ିଶାକୁ ଏକ ବିରଳ କେସ୍ ଷ୍ଟଡି ଭାବେ ସ୍ଥାନିତ କରିଛି । ଯାହା ଦର୍ଶାଉଛି ଯେ ଘରୋଇ କ୍ଷେତ୍ରର ଦକ୍ଷତାକୁ ଜନସାଧାରଣଙ୍କ ହିତ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ ଏବଂ ଏହା ଏକ ସଫଳ ସଂସ୍କାର ମଡେଲ୍ ଯାହାକୁ ଅନ୍ୟ ରାଜ୍ୟଗୁଡ଼ିକ କମ ସମୟ ମଧ୍ୟରେ ଲାଗୁ କରିପାରିବେ ।
ବଣ୍ଟନ କ୍ଷେତ୍ରରେ ସଂସ୍କାର ହେଉଛି ବିଦ୍ୟୁତ କ୍ଷେତ୍ରରେ ପରିବର୍ତ୍ତନର ମୂଳଦୁଆ । ବଣ୍ଟନ ଗ୍ରାହକଙ୍କ ସହିତ ପ୍ରାଥମିକ ଇଣ୍ଟରଫେସ୍ ଭାବରେ କାର୍ଯ୍ୟ କରେ ଏବଂ ଏହା ରାଜସ୍ୱର ପ୍ରମୁଖ ସ୍ରୋତ ଯାହା ଉଭୟ ପରିବହନ ଏବଂ ଉତ୍ପାଦନକୁ ସମର୍ଥନ କରିଥାଏ । ତଥାପି, ଅଧିକାଂଶ ରାଷ୍ଟ୍ରାୟତ୍ତ ଡିସକମ୍ ଗୁଡିକ ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି, ଯାହା ଭାରତର ବିଦ୍ୟୁତ୍ କ୍ଷେତ୍ରର ଅଭିବୃଦ୍ଧିରେ ଏବଂ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାର ଦେଶର ମହତ୍ତ୍ୱାକାଂକ୍ଷାରେ ବାଧା ସୃଷ୍ଟି କରୁଛି ।
ବିଦ୍ୟୁତ୍ ଆଇନରେ ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକ ଏକ ନିରପେକ୍ଷ, ସ୍ୱଚ୍ଛ ଏବଂ ବଜାର-ଭିତ୍ତିକ ବିଦ୍ୟୁତ୍ ବ୍ୟବସ୍ଥା ସୃଷ୍ଟି କରିବାରେ ସାହାଯ୍ୟ କରିବ । ପ୍ରସ୍ତାବିତ ସଂଶୋଧନରେ ମୂଲ୍ୟ-ପ୍ରତିଫଳିତ ଶୁଳ୍କକୁ ବାଧ୍ୟତାମୂଳକ କରାଯାଇଛି ଯାହା ନିଶ୍ଚିତ କରିବ ଯେଭଳି ପ୍ରକୃତ ଖର୍ଚ୍ଚ ଆଧାରରେ ବିଦ୍ୟୁତ୍ ମୂଲ୍ୟ ନିର୍ଣ୍ଣୟ କରାଯିବ । ବର୍ତ୍ତମାନ, ଘରୋଇ ଗ୍ରାହକମାନଙ୍କୁ ପ୍ରଦାନ କରାଯାଉଥିବା ସବସିଡି ଶିଳ୍ପଗୁଡ଼ିକୁ ପ୍ରଭାବିତ କରୁଛି, ସେମାନେ ଅଧିକ ହାରରେ ବିଦ୍ୟୁତ୍ କିଣିବାକୁ ବାଧ୍ୟ ହେଉଛନ୍ତି । ଏହା ଭାରତୀୟ ଶିଳ୍ପଗୁଡ଼ିକ ପାଇଁ ବିଶ୍ୱ ସ୍ତରରେ ପ୍ରତିଯୋଗିତା କରିବାରେ ବାଧା ସୃଷ୍ଟି କରୁଛି ।
ତଥାପି, ଏହି ସଂଶୋଧନଗୁଡ଼ିକ ରାଜ୍ୟଗୁଡ଼ିକୁ ମନୋନୀତ ଗ୍ରାହକ ଗୋଷ୍ଠୀଗୁଡ଼ିକୁ ଅଗ୍ରିମ ସବସିଡି ଦେବାକୁ ଅନୁମତି ଦେବ, ଯାହା ଦୁର୍ବଳ ବର୍ଗକୁ ସୁରକ୍ଷା ଦେବା ସହିତ ଟାରିଫ୍ ଲାଭର ଅପବ୍ୟବହାରକୁ ରୋକିବାରେ ସାହାଯ୍ୟ କରିବ ।
ଆଉ ଏକ ପ୍ରମୁଖ ସଂସ୍କାର ପ୍ରସ୍ତାବ ହେଉଛି ପାଞ୍ଚ ବର୍ଷ ମଧ୍ୟରେ ରେଳବାଇ, ମେଟ୍ରୋ ଏବଂ ଉତ୍ପାଦନ ଉଦ୍ୟୋଗ ପାଇଁ କ୍ରସ୍-ସବସିଡି ସମାପ୍ତ କରିବା । ଏହା ଶିଳ୍ପଗୁଡ଼ିକ ଉପରେ ବିଦ୍ୟୁତ ଶୁଳ୍କର ବୋଝ ହ୍ରାସ କରିବ ଏବଂ ସେମାନଙ୍କ ପ୍ରତିଯୋଗିତାମୂଳକ ସ୍ତର ବୃଦ୍ଧି କରିବ । ପ୍ରସ୍ତାବିତ ସଂଶୋଧନଗୁଡ଼ିକ ସ୍ୱଚ୍ଛ ଏବଂ ସହ-ଉତ୍ପନ୍ନ ଶକ୍ତିକୁ ପ୍ରୋତ୍ସାହିତ କରିବା, ଗ୍ରୀଡ୍ ସଂଯୋଗୀକରଣ ଏବଂ ନବୀକରଣ ଶକ୍ତି ଉତ୍ପାଦକମାନଙ୍କ ପାଇଁ ପ୍ରବେଶକୁ ସୁଗମ କରିବା ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଅଂଶର ସବୁଜ ଶକ୍ତି କ୍ରୟ କରିବାକୁ ଡିସକମ୍ ଗୁଡିକୁ ବାଧ୍ୟ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରୁଛି ।
ଏହା ସହିତ, ପ୍ରସ୍ତାବିତ ସଂଶୋଧନ କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ (ସିଇଏ)କୁ ଡିଜିଟାଲ ବିପଦରୁ ପାୱାର ଗ୍ରୀଡକୁ ସୁରକ୍ଷା ଦେବା ପାଇଁ ସାଇବର ସୁରକ୍ଷା ନିୟମ ପ୍ରଣୟନ କରିବାକୁ କ୍ଷମତା ପ୍ରଦାନ କରିବ । ଏହା ବଣ୍ଟନ କମ୍ପାନୀଗୁଡ଼ିକୁ ସେମାନଙ୍କର ନିଜସ୍ୱ କିମ୍ବା ସେୟାର ନେଟୱାର୍କ ମାଧ୍ୟମରେ ବିଦ୍ୟୁତ ଯୋଗାଣ କରିବାକୁ ମଧ୍ୟ ଅନୁମତି ଦେବ, ଯାହା ଭିତ୍ତିଭୂମି ଦକ୍ଷତା ଏବଂ ସେବା ନିର୍ଭରଯୋଗ୍ୟତା ବୃଦ୍ଧି କରିବ ।
ଆଗାମୀ ଜାତୀୟ ସଂସ୍କାର ପରିପ୍ରେକ୍ଷୀରେ, ଓଡ଼ିଶା ଏକ ଉଦାହରଣ ଭାବରେ କାର୍ଯ୍ୟ କରୁଛି – କାରଣ ଏହା ପୂର୍ବରୁ ଏହି ନୀତିଗୁଡ଼ିକ ମଧ୍ୟରୁ ଅନେକକୁ କାର୍ଯ୍ୟକାରୀ କରିସାରିଛି । ଏଠାରେ ବିଦ୍ୟୁତ୍ ବଣ୍ଟନର ଘରୋଇକରଣ ଫଳରେ କାର୍ଯ୍ୟକ୍ଷମତାରେ ଉନ୍ନତି ଆସିଛି, ଗ୍ରାହକ ସେବାରେ ଉନ୍ନତି ଆସିଛି ଏବଂ ନେଟୱାର୍କର ଆଧୁନିକୀକରଣ ହୋଇପାରିଛି । କ୍ଷତିରେ ଉଲ୍ଲେଖନୀୟ ହ୍ରାସ ଏବଂ ନିର୍ଭରଯୋଗ୍ୟତାରେ ଉନ୍ନତି ଦର୍ଶାଉଛି ଯେ କିପରି ଉତ୍ତରଦାୟୀ ଗଠନମୂଳକ ସଂସ୍କାର ଭାରତର ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରକୁ ପୁନର୍ଜୀବିତ କରିପାରିବ ।
ଦେଶ ବିଦ୍ୟୁତ୍ (ସଂଶୋଧନ) ଆଇନ ୨୦୨୫ କାର୍ଯ୍ୟକାରୀ କରିବା ଆଡ଼କୁ ଅଗ୍ରସର ହେଉଥିବା ବେଳେ, ଓଡ଼ିଶାର ମଡେଲ ଏକ ଦୃଢ଼ ବାର୍ତ୍ତା ଦେଉଛି – ସାହସିକ, ଉତ୍ତରଦାୟୀ ଏବଂ ଗ୍ରାହକ-କୈନ୍ଦ୍ରିକ ସଂସ୍କାର ଭାରତର ବିଦ୍ୟୁତ୍ କ୍ଷେତ୍ରରେ ବଡଧରଣର ପରିବର୍ତ୍ତନ ଆଣିପାରିବ ।
Comments are closed.