Latest Odisha News

BREAKING NEWS

ଠକେଇ ମାମଲାରେ ବିଜେଡ଼ି ନେତା ଦିଲ୍ଲୀପ କୁମାର ନାୟକ ଗିରଫ

ଭୁବନେଶ୍ୱର: ୧୨.୪୨ କୋଟି ଟଙ୍କାରୁ ଅଧିକ ଠକେଇ ଏବଂ ଜାଲିଆତି ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡ଼ି) ନେତା ଦିଲ୍ଲୀପ କୁମାର ନାୟକଙ୍କ ବାସସ୍ଥାନରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା।

ସେ କଟକର ବାଦାମବାଡି ଅଞ୍ଚଳର ଝାଞ୍ଜିରି ମଙ୍ଗଳାର ବାସିନ୍ଦା ବୋଲି ଜଣାପଡ଼ିଛି। ତାଙ୍କୁ ଖୁବ୍ ଶୀଘ୍ର କଟକର OPID ଆଇନ ଅନୁଯାୟୀ ନିର୍ଦ୍ଧିଷ୍ଟ କୋର୍ଟରେ ହାଜର କରାଯିବା ନେଇ ଇଓଡବ୍ଲୁ ଶନିବାର ଦିନ ସୂଚନା ଦେଇଛି।

ତେବେ କଟକର ରାଣୀହାଟ ସ୍ଥିତ ମାଳିସାହିର ବାସିନ୍ଦା ବିଜୟ ରାଉତଙ୍କ ଲିଖିତ ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି। ସେ ବିଜୟଙ୍କୁ ମିଳିତ ଭାବରେ ରିଅଲ୍ ଇଷ୍ଟେଟ୍ ବ୍ୟବସାୟ କରିବା ସହ ତାଙ୍କ ମାଧ୍ୟମରେ ଜମି କ୍ରୟରେ ନିବେଶ କରିବାକୁ ପ୍ରବର୍ତ୍ତାଇ ଥିଲେ। ୨୦୧୫-୨୦୧୭ ମଧ୍ୟରେ ଅଭିଯୁକ୍ତ ଦିଲ୍ଲୀପ ନାୟକ ବ୍ୟବସାୟରେ ନିବେଶ ପାଇଁ ସୂଚନାଦାତା ବିଜୟଙ୍କଠାରୁ ତିନି କୋଟି ଟଙ୍କା ନେଇଥିଲେ ଓ ପରେ ପୁଣି  ୨୦୧୮ ମସିହାରେ ଅଭିଯୁକ୍ତ କଟକର ବଜ୍ରକବାଟିରେ ଜମି ଯୋଗାଇବା ପାଇଁ ବିଜୟଙ୍କଠାରୁ ଆହୁରି ଚାରି କୋଟି ଟଙ୍କା ନେଇଥିଲା କିନ୍ତୁ ପରେ ସେ ତାଙ୍କୁ କୌଣସି ଜମି କିଣି ଦେଇନଥିଲେ।

ଓଲଟି ବିଜୟ ଙ୍କ ନାମରେ ଜମି କିଣିବା ପରିବର୍ତ୍ତେ ଅଭିଯୁକ୍ତ ତାଙ୍କ ନାମରେ ଜମି କିଣିଥିଲେ। ଏହା ଜାଣିବା ପରେ ବିଜୟ ଅଭିଯୁକ୍ତଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ ଓ ବାରମ୍ବାର ଯୋଗାଯୋଗ କରିବା ପରେ ଅଭିଯୁକ୍ତ ସୂଚନାଦାତାଙ୍କ ସହିତ ତିନୋଟି ଚୁକ୍ତିନାମା କରିଥିଲେ ଯେଉଁଥିରେ ସେ ୭.୪୨ କୋଟି ଟଙ୍କା ଫେରସ୍ତ କରିବା ନେଇ କିମ୍ବା ଟଙ୍କା ପରିବର୍ତ୍ତେ ଜମି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଓ ପରେ ନେତା ୧୦.୫ କୋଟି ଟଙ୍କାର ୩୫ଟି ଚେକ୍ ଦେଇଥିଲେ। କିନ୍ତୁ ସେହି ଚେକ୍ ମଧ୍ୟରୁ କିଛି ଚେକ୍  ପର୍ଯ୍ୟାପ୍ତ ପାଣ୍ଠି ଅଭାବରୁ ବାଉନ୍ସ ହୋଇଯାଇଥିଲା। କେବଳ ଏତିକି ନୁହେଁ ଅଭିଯୁକ୍ତ ବିଜୟଙ୍କ ସ୍ତ୍ରୀଙ୍କଠାରୁ ମଧ୍ୟ ଦୁଇ କୋଟି ଟଙ୍କା ନେଇଥିଲେ।

ଅଭିଯୁକ୍ତ ୨୦୨୧ ମସିହାରେ ମଧ୍ୟ ସୂଚନାଦାତାଙ୍କଠାରୁ ୩.୫ କୋଟି ଟଙ୍କା ନେଇ ତ୍ରିସୁଳୀଆରେ ୫ ଏକର ଜମି କିଣିବାକୁ ପ୍ରବର୍ତ୍ତାଇଥିଲେ କିନ୍ତୁ ଜାଲିଆତି କରି ସେହି ଜମିର ସେ ଯୁଗ୍ମ ମାଲିକ ହୋଇଯାଇଥିଲେ ଓ ବିଜୟଙ୍କ ଅଜାଣତରେ ସେ ଗୁପ୍ତ ଭାବରେ ସେହି ଜମିରୁ ୨.୫ ଏକର ଜମି ବିକ୍ରୟ ମଧ୍ୟ କରିଦେଇଥିଲେ।

ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କ ଘର ଚଢ଼ଉ କରି ସେଠାରୁ  ବିକ୍ରୟ ଡିଡ୍, ପାୱାର ଅଫ୍ ଆଟର୍ଣ୍ଣି, ବିକ୍ରୟ ଚୁକ୍ତିନାମା, ବ୍ୟାଙ୍କ ଆକାଉଣ୍ଟ ଇତ୍ୟାଦି ଅନେକ ଅପରାଧିକ ଦସ୍ତାବିଜ ଉଦ୍ଧାର କରିଥିଲା। ଉଦ୍ଧାର ହୋଇଥିବା ଦସ୍ତାବିଜଗୁଡ଼ିକ ବର୍ତ୍ତମାନ୍ ଯାଞ୍ଚ କରାଯାଉଥିବା ନେଇ ଇଓଡବ୍ଲୁ କହିଛି।

 

Comments are closed.