ଭୁବନେଶ୍ୱର: ୧୦ ରାଜ୍ୟରେ ୧,୦୦୦ କୋଟିରୁ ଅଧିକ ଟଙ୍କାର ପୋଞ୍ଜି ଯୋଜନା ଦୁର୍ନୀତି ଅଭିଯୋଗରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଶନିବାର କଟକରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ଜଣେ ନିବେଶକଙ୍କ ଅଭିଯୋଗ ପରେ ଝିଙ୍କିରିଆର ୪୨ ମୌଜାର ପ୍ରତାପ କୁମାର ରାଉତଙ୍କୁ କଟକରୁ ଗିରଫ କରାଯାଇଛି।
ଅଭିଯୋଗକାରୀ ବିଜୟ କୁମାର ପାଣିଗ୍ରାହି, ପ୍ରତାପ ନାମକ ଜଣେ ବ୍ୟକ୍ତିଙ୍କଠାରୁ ହେଜେକ୍ସ ଫଣ୍ଡ LLP ବିଷୟରେ ଜାଣିବାକୁ ପାଇଥିଲେ। ଯେଉଁଥିରେ ୧୧%-୧୮%ରୁ ମାସିକ ରିଟର୍ଣ୍ଣ ମିଳିବା ଆଶାରେ ତାଙ୍କର ଅବସର ରାଶି ବିନିଯୋଗ କରିବାକୁ ସେ ପ୍ରୋତ୍ସାହିତ କରିଥିଲେ। ଯାହାଫଳରେ ସେ ହେଜେକ୍ସ ଫଣ୍ଡ LLPରେ ୯୨,୬୦,୪୮୦ ଟଙ୍କା ନିବେଶ କରିଥିଲେ। ଯେଉଁଥିରେ ଦିନେଶ କୁମାର ଜୈନ ଏବଂ କୁଲଦୀପ ସିଂହ ପନୱାର ତାଙ୍କର ଅଂଶୀଦାର ଭାବରେ ଥିଲେ। ତେବେ ବଜାରରେ ମିଳୁଥିବା କୌଣସି ଠକ ଯୋଜନା ପରି ଏଥିରେ ଟଙ୍କା ବୁଡିଯିବାର କୌଣସି ଭୟ ନାହିଁ ବୋଲି ପ୍ରତାପ କହିଥିଲେ। ଲାଭ ପାଇବା ଆଶାରେ ସେ ପ୍ରତାପଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆକାଉଣ୍ଟ ନମ୍ବରରେ ପ୍ରଥମେ ଟଙ୍କା ଜମା କରିଥିଲେ। କିନ୍ତୁ କିଛି ଦିନ ପରେ ସେହି କମ୍ପାନୀ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା। ଏହାପରେ ବିଜୟ ପ୍ରତାପଙ୍କ ସହ ଯୋଗାଯୋଗ କରିଥିଲେ ଓ ପ୍ରତାପ ତାଙ୍କ ଟଙ୍କା ଫେରସ୍ତ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଯାହା ପରବର୍ତୀ ସମୟରେ ମିଥ୍ୟା ପ୍ରମାଣିତ ହୋଇଥିଲା।
ତେବେ ପ୍ରତାପ ପାଣ୍ଠି ସଂଗ୍ରହ ପାଇଁ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରୁଥିବା ନେଇ EOW ସୂଚନା ଦେଇଛି। କେବଳ ଏତିକି ନୁହେଁ ସେ ନଗଦ ଆକାରରେ ଏବଂ ହାୱାଲା ଏଜେଣ୍ଟମାନଙ୍କ ମାଧ୍ୟମରେ ମଧ୍ୟ ବିପୁଳ ପରିମାଣରେ ଟଙ୍କା ସଂଗ୍ରହ କରିଥିଲେ। ହେଜେକ୍ସ ପାଣ୍ଠିକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତାପ କଟକ ଏବଂ ଭୁବନେଶ୍ୱରରେ ଅନେକ ପ୍ରମୋସନାଲ୍ ବୈଠକ ମଧ୍ୟ କରିଥିଲେ। ତେବେ କୋଟି କୋଟି ଟଙ୍କା ଜମା ହେବା ପରେ ହଠାତ୍ LLP କାର୍ଯ୍ୟ କରିବା ବନ୍ଦ କରିଦେଇ ଥିଲା। ଅପରେଟରମାନେ କାର୍ଯ୍ୟ ବନ୍ଦ କରିଦେଇଥିଲେ ଓ ଯୋଗାଯୋଗ ମାଧ୍ୟମ ଗୁଡ଼ିକୁ ମଧ୍ୟ ନିଷ୍କ୍ରିୟ କରିଦିଆଯାଇଥିଲା।
Comments are closed.