Latest Odisha News

BREAKING NEWS

ଆଜି ଦିଆଯିବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୧୪ରେ ଦିଆଯିବ ‘ଅଷ୍ଟମ ରାଜ୍ୟ ଟେଲି ପୁରସ୍କାର’

ଭୁବନେଶ୍ୱର :  ବହୁ ବାଦ ବିବାଦ ପରେ ଆଜି ଦିଆଯିବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ଉତ୍କଳ ମଣ୍ଡପରେ ଦିଆଯିବ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ସେହିପରି ୧୪ ତାରିଖ ମଙ୍ଗଳବାରରେ ଦିଆଯିବ ‘୮ମ ରାଜ୍ୟ ଟେଲି ପୁରସ୍କାର’। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସନ୍ଧ୍ୟା ୬ ଟା ୩୦ ମିନିଟ୍‌ରେ ହେବା ସୂଚନା ରହିଛି  ।

୨୦୧୯ ମସିହା ପାଇଁ ଘୋଷଣା ହୋଇଥିବା ‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମନୋନୟନ ତାଲିକାକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ସେହି ବିଚାରକ ମଣ୍ଡଳୀକୁ ନେଇ ସାନି ତାଲିକା ପ୍ରସ୍ତୁତ କରାଯିବ ବୋଲି ଆପାତତଃ ନିଷ୍ପତ୍ତି ନିଆଯାଇଥିଲା। ଏକ ମାସ ଭିତରେ ସାନି ତାଲିକା ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ସୂଚନା ମୁତାବକ, ସଂସ୍କୃତି ବିଭାଗ ସମ୍ପୂର୍ଣ୍ଣ ପୁରସ୍କାର ତାଲିକାକୁ ପୁନଃବିଚାରକୁ ନ ନେଇ ପୁରସ୍କାର ତାଲିକାରୁ ହାଇକୋର୍ଟ ଆପତ୍ତି ଉଠାଇଥିବା ପୁରସ୍କାର ବର୍ଗକୁ ପୁନଃବିଚାର କରିଛି। ଅବଶିଷ୍ଟ ତାଲିକା ସେହିଭଳି ରହିଛି । ବାସ୍ତବରେ ବିଚାରକ ମଣ୍ଡଳୀ ଆଉ ଥରେ ଚଳଚ୍ଚିତ୍ରଗୁଡ଼ିକୁ ଦେଖି ନୂଆ ତାଲିକା ପ୍ରସ୍ତୁତ କରିଛନ୍ତି ନା ତରବରିଆ ଭାବେ ତାହା କରାଯାଇଛି ? ଯଦି ନୂଆ ତାଲିକାକୁ ସ୍ବଚ୍ଛ ଉପାୟରେ ପ୍ରସ୍ତୁତ କରାଯାଇଛି, ତେବେ ଏହି ତାଲିକା ସାର୍ବଜନୀନ କରାଯିବାରେ କିଛି ଅସୁବିଧା ନଥିଲା। କିନ୍ତୁ ସେପରି ନକରି ସଂସ୍କୃତି ବିଭାଗ ନିଜେ ବିବାଦ ଭିତରକୁ ଠେଲି ହୋଇଯାଇଛି। ଚଳଚ୍ଚିତ୍ର ସବୁ ଠିକ୍‌ରେ ନ ଦେଖି ତରବରିଆ ଭାବେ ପୁରସ୍କାର ପ୍ରଦାନ କରାଗଲେ ତାହା ଯୋଗ୍ୟ କଳାକାରଙ୍କ ପାଇଁ ଅନ୍ୟାୟ ହେବ ବୋଲି ସିନେ ପ୍ରେମୀମାନେ ମତବ୍ୟକ୍ତ କରିଛନ୍ତି।

ତେବେ କୁହାଯାଉଛି ଯେ ଆଇନଗତ ବିବାଦରୁ ଦୂରେଇ ରହିବାକୁ ସଂସ୍କୃତି ବିଭାଗ ପୁରସ୍କାର ତାଲିକା ଘୋଷଣା ନ କରି ସିଧାସଳଖ ପୁରସ୍କାର ଦେବାକୁ ସ୍ଥିର କରାଯାଇଛି । ଗତ କିଛି ଦିନ ତଳେ ମଧ୍ୟ ସମାନ ଢଙ୍ଗର ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। କୌଣସି ପୂର୍ବ ସୂଚନା ଓ ପୁରସ୍କାର ତାଲିକା ଘୋଷଣା ନ କରି ସଂସ୍କୃତି ବିଭାଗ ଓ ଏକାଡେମୀ ପୁରସ୍କାର ପ୍ରଦାନ କରିଥିଲେ ବୋଲି କୁହାଯାଉଛି ।

Leave A Reply

Your email address will not be published.