ଭୁବନେଶ୍ୱର: ବେଧଡକ ଭାବେ ବଢୁଥିବା ଗଞ୍ଜେଇ ଚାଲାଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏହି କ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଗଞ୍ଜେଇ ନିଷେଧ ଉପରେ ଏକ ଚିଠି ଲେଖିଛି। ଶୈବପୀଠ ମାନଙ୍କରେ ଗଞ୍ଜେଇର ବ୍ୟବହାର ଅଧିକ ହେଉଛି ତେଣୁ ଏହି ସବୁପୀଠ ଗୁଡ଼ିକରେ ଗଞ୍ଜେଇ ନିଷେଧ ପାଇଁ ନିର୍ଦ୍ଦେଶ ଦେଇଛି ସଂସ୍କୃତି ବିଭାଗ। ଗଞ୍ଜେଇ ବ୍ୟବହାର ରୋକିବାକୁ ଯଥା ସମ୍ଭବ ଆବଶ୍ୟକ ପଦକ୍ଷେପ ନେବାକୁ ସଂପୃକ୍ତ ବିଭାଗ ନିର୍ଦ୍ଦେଶ ଦେଇଛି।
ତେବେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଆସିଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ପଦ୍ମଶ୍ରୀ ବାବା ବଳିଆ। ସେ କହିଛନ୍ତି, ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରୁଛନ୍ତି। ଗଞ୍ଜେଇ ଟାଣିବା ଦ୍ବାରା ଯୁବପିଢ଼ି ବେମାରିଆ, ଅଳ୍ପାୟୁଷ ହେଉଛନ୍ତି। ଶିବଙ୍କ ଭୋଗରେ ଭାଙ୍ଗ ପଡ଼େ, ଗଞ୍ଜେଇ ପଡ଼େ ବୋଲି ଜଣେ ଆଧ୍ୟାତ୍ମିକ ଗୁରୁ ଭାବେ ସେ ଜାଣିନଥିବା କହିଛନ୍ତି। ଗଞ୍ଜେଇ ସେବନ କରିବା ଦ୍ବାରା ମଣିଷ ରୋଗଗ୍ରସ୍ତ ହୁଏ, ଏହା ଟାଣିବା ଅନୁଚିତ। ଏବେ ଯୁଗ ବଦଳିବା ସହ ପୁଅଙ୍କ ସହ ଝିଅମାନେ ବି ଗଞ୍ଜେଇ ଟାଣୁଛନ୍ତି ବୋଲି ସେ କହିଛନ୍ତି।
ଏ ସମ୍ପର୍କରେ ପ୍ରଭୁ ଲିଙ୍ଗରାଜ ମନ୍ଦିରର ପରିଚାଳକ ନିଜ ମତ ରଖି କହିଛନ୍ତି ଯେ, ଶ୍ରୀମନ୍ଦିରରେ କେବେ ବି ଗଞ୍ଜେଇ ଅର୍ପଣ କରାଯାଏ ନାହିଁ। ମୁଁ ଓଡ଼ିଶାରେ ଅନେକ ଶିବ ମନ୍ଦିରକୁ ଯାଇଥିଲି, କିନ୍ତୁ ଗଞ୍ଜେଇ କେଉଁଠି ବି ଅର୍ପଣ କରାଯାଏ ନାହିଁ। ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ସେ ସ୍ୱାଗତ କରୁଛନ୍ତି ବୋଲି କହିଛନ୍ତି।
ତେବେ ଆଖଣ୍ଡଳମଣିଙ୍କ ପୀଠର ମୁଖ୍ୟ ସେବାୟତ ବିଜୟ କୁମାର ଦାସ ଭିନ୍ନ ଦୃଷ୍ଟିଭଙ୍ଗୀ ପ୍ରକାଶ କରି କହିଛନ୍ତି, ଭଗବାନ ଶିବଙ୍କ ‘ଘରସଣ’ ନୀତି ସମୟରେ ଗଞ୍ଜେଇ ବା ଭାଙ୍ଗ ବ୍ୟବହୃତ ହୋଇଥାଏ ଏବଂ ଏହା ଏକ ଶହ ଶହ ବର୍ଷର ପରମ୍ପରା। ‘ଘରସଣ’ ଭୋଗରେ ଭକ୍ତଙ୍କୁ ଭୋଗ ଲାଗି କରାଯାଏ। ଯଦି ସରକାର ଭଗବାନ ଶିବଙ୍କ ପୀଠରେ ଗଞ୍ଜେଇ ବ୍ୟବହାର ଉପରେ କଟକଣା ଲଗାନ୍ତି, ତେବେ ଆମେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବୁ।
ତେବେ କିଛି ଭକ୍ତ କହିଛନ୍ତି, ସରକାରଙ୍କ ଏହି ପଦକ୍ଷେପ ଧାର୍ମିକ ବିଶ୍ୱାସ ଉପରେ ପ୍ରଶ୍ନ ଉଠାଇଛି। ଯେତେବେଳେ କେହି ଆମର ବିଶ୍ୱାସ ଉପରେ ପ୍ରଶ୍ନ ଉଠାନ୍ତି, ଏହା ଆମ ଧର୍ମ ବିରୁଦ୍ଧରେ ଅଟେ। ଭଗବାନ ଶିବଙ୍କୁ ଆମେ ଯାହା ଅର୍ପଣ କରିଥାଉ ତାହା ଆମର ବ୍ୟକ୍ତିଗତ ବିଶ୍ୱାସ ଓ ମୂଲ୍ୟବୋଧ ଉପରେ ଆଧାରିତ ହୋଇଥାଏ। ଏହାକୁ ନେଇ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ ବୋଲି ପ୍ରଭୁ ଲିଙ୍ଗରାଜ ମନ୍ଦିରର ଜଣେ ଭକ୍ତ କହିଛନ୍ତି।
ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ଶ୍ରୀମନ୍ଦିର ପ୍ରଶାସନ, ଭକ୍ତ, ଆଧ୍ୟାତ୍ମିକ ଗୁରୁଙ୍କ ସମେତ ବିଭିନ୍ନ ପକ୍ଷଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଏହି ନିଷେଧାଦେଶ ପଛରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଜନସ୍ୱାସ୍ଥ୍ୟକୁ ବଜାୟ ରଖିବା ସହ ବେଆଇନ ଦ୍ରବ୍ୟର ଅପବ୍ୟବହାରକୁ ରୋକିବା ବୋଲି ସୂଚନା ରହିଛି।
Comments are closed.