Latest Odisha News

ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଦୀର୍ଘ 5 ମାସର ବିଳମ୍ବ ପରେ ଶେଷରେ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ପାଇଁ କାର୍ଯ୍ୟାଦେଶ ବଣ୍ଟନ କରିବାକୁ ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନଲାଇନରେ କାର୍ଯ୍ୟାଦେଶ ବଣ୍ଟନ କରାଯିବ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡ଼ିଶାରେ ପିଏମ୍ଏଓ୍ୱାଇ ଯୋଜନାରେ ଘର ବଣ୍ଟନ ପାଇଁ କେନ୍ଦ୍ର ସରକାର 9.5 ଲକ୍ଷ ଘର ମଞ୍ଜୁର କରିଥିଲେ। ହେଲେ ହିତାଧିକାରୀ ଚିହ୍ନଟକୁ ନେଇ ବିବାଦ ଯୋଗୁଁ 5 ମାସ ପରେ ବି ଘର ବଣ୍ଟନ ହୋଇପାରୁନାହିଁ।

ବିରୋଧୀଙ୍କ ପ୍ରବଳ ଚାପ ପରେ ଶେଷରେ ରାଜ୍ୟ ସରକାର କାର୍ଯ୍ୟାଦେଶ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସରକାର ଏହାର ‘ମୋ ଘର’ ଯୋଜନାରେ ସସସିଡିୟୁକ୍ତ ଘର ଋଣ ପାଇଁ ଏକକାଳୀନ ଆବେଦନ ଆହ୍ବାନ କରିବା ପରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଥିଲା। କେନ୍ଦ୍ରୀୟ ଯୋଜନାକୁ ଦୁର୍ବଳ କରିବା ପାଇଁ ଶାସକ ବିଜୁ ଜନତା ଦଳର ଏହା ଏକ ପ୍ରୟାସ ବୋଲି ଅଭିଯୋଗ ହୋଇଛି।

ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି, ଓଡ଼ିଶା ସରକାର ଦୀର୍ଘ ଦିନ ଧରି କେନ୍ଦ୍ରର ଆବାସ ଯୋଜନାରେ ମିଳିଥିବା ଘରକୁ ବିନିଯୋଗ କରିନଥିଲେ। ବେଆଇନ ଭାବେ ବିଜେଡି ନେତାଙ୍କୁ ଅଧିକରୁ ଅଧିକ ଘର ଯୋଗାଇଦେବା ଓ ଟଙ୍କା ହଡପ କରିବା ପାଇଁ ବିଜେଡି ନେତୃତ୍ୱାଧୀନ ଓଡିଶା ସରକାରର ଏହା ଏକ ପ୍ରୟାସ।

ସେ ଆହୁରି କହିଛନ୍ତି, “ମୋ ଘର ଯୋଜନାକୁ ବିଜେଡି ଘର ଯୋଜନା ନାଁ ଦେବା ଉଚିତ୍ ଥିଲା, କାରଣ ସେମାନେ କେବଳ ବିଜେଡି ନେତାଙ୍କୁ ଋଣ ଦେବେ।

ଅଭିଯୋଗର ଜବାବରେ ବିଜେଡି ନେତା ଅମର ଶତପଥୀ କହିଛନ୍ତି, ଆମକୁ ଘର ନଦେବା ପାଇଁ କେନ୍ଦ୍ର ଅନେକ ବାହାନା କରିଥିଲା। ଦୀର୍ଘ ଦିନ ହେବ ଏହି ପୋର୍ଟାଲ୍ ଖୋଲି ନ ଥିଲା। ସେମାନେ ଅନ୍ୟ ରାଜ୍ୟକୁ ଘର ଯୋଗାଇଦେଲେ କିନ୍ତୁ ଆମେ ଦାବି କରିବା ବେଳେ ଓଡ଼ିଶାକୁ କୌଣସି ଘର ଯୋଗାଇ ଦେଲେ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, “କେନ୍ଦ୍ରର ପ୍ରତିବନ୍ଧକକୁ ଏଡ଼ାଇ ଓଡ଼ିଶାବାସୀଙ୍କୁ ଘର ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ‘ମୋ ଘର’ ଯୋଜନା ଆରମ୍ଭ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ‘ମୋ ଘର’ ଯୋଜନାରେ ଋଣ ପାଇଁ ଆବେଦନ କରିବା ପାଇଁ ଓଡ଼ିଶା ସରକାର ଶୁକ୍ରବାରଠାରୁ ଏହାର ପୋର୍ଟାଲ୍ ଖୋଲିଛନ୍ତି। ଆବେଦନକାରୀଙ୍କୁ ନିଜ ଆଧାର ଓ ମୋବାଇଲ ନମ୍ବର ସହ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ।

ପଞ୍ଜିକରଣ ପରେ ପଞ୍ଚାୟତ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ଦ୍ୱାରା ଫର୍ମ ଯାଞ୍ଚ କରାଯିବ। ବିଡିଓଙ୍କ ଅନୁମୋଦନ ପରେ ଋଣ ପାଇଁ ବ୍ୟାଙ୍କଗୁଡ଼ିକୁ ଫର୍ମ ପଠାଯିବ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚିହ୍ନଟକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ବିବାଦ ଦେଖାଦେଇଥିଲା। ‘ମୋ ଘର’ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ରିହାତି ଦରରେ ଗୃହ ଋଣ ମିଳିବ କି ନାହିଁ ତାହା ଦେଖିବାକୁ ବାକି ରହିଲା।

Comments are closed.