Latest Odisha News

ସରକାରୀ କର୍ମଚାରୀଙ୍କ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ୍ ସୁନିଶ୍ଚିତ ହେବ

ଭୁବନେଶ୍ଵର: ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ସୁନିଶ୍ଚିତ ହେବ । ଏନେଇ ସବୁ ବିଭାଗକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ସଚିବ ମନୋଜ ଆହୁଜା । ପେନସନ ମଞ୍ଜୁର କରୁଥିବା ଅଧିକାରୀଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଛି ।

ସୂଚନା ଅନୁସାରେ, ଅବସର ଦିନ ହିଁ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ ଦେବା ପାଇଁ ୨୦୧୯ ମସିହା ଡିସେମ୍ବର ୧୨ ତରିଖରୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ତାହାକୁ ବିଭାଗଗୁଡ଼ିକ ପାଳନ କରୁନାହାନ୍ତି । ଏଥିପାଇଁ ଓଡ଼ିଶା ସିଭିଲ ସର୍ଭିସ ପେନସନ ନିୟମ, ୧୯୯୨ ଅନୁସାରେ ସବୁ ଯୋଗ୍ୟ ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି ।

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ କରିବାରେ ବିଭାଗଗୁଡ଼ିକ ପକ୍ଷରୁ ବିଳମ୍ବ ହେଉଥିବାରୁ ତାହାକୁ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ମାନବିକତା ତଥା ଉତ୍ତମ ପ୍ରଶାସନ ଦୃଷ୍ଟିକୋଣରୁ କର୍ମଚାରୀଙ୍କ ଅବସର ଦିନ ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ସୁନିଶ୍ଚିତ କରିବା ବିଭାଗୀୟ ଅଫିସରମାନଙ୍କର ଦକ୍ଷତାର ମାପକାଠି ବୋଲି ଶ୍ରୀ ଆହୁଜା କହିଛନ୍ତି ।

ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅବା ଭିଜିଲାନ୍ସ ମାମଲା ଥାଏ ତା’ହେଲେ ସମ୍ପୃକ୍ତ କର୍ମଚାରୀଙ୍କ ଅବସର ଗ୍ରହଣର ଯଥେଷ୍ଟ ପୂର୍ବରୁ ତାକୁ ଫଏସଲା କରିବା ପାଇଁ ସମ୍ପୃକ୍ତ ବିଭାଗସ୍ତରରେ ପଦକ୍ଷେପ ଗ୍ରହଣ କରାଯିବା ଏକାନ୍ତ ଆବଶ୍ୟକ । ଏହା ସଂପୃକ୍ତ ଅଧିକାରୀଙ୍କ ଦକ୍ଷତା ମାପକାଠିର ପରିଚାୟକ ହେବ । ପ୍ରତ୍ୟେକ ମାସରେ ଅବସର ନେଉଥିବା ସରକାରୀ କର୍ମଚାରୀଙ୍କ ମଧ୍ୟରୁ କେତେଜଣଙ୍କୁ ଅବସର ଦିନ ହିଁ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ କରାଯାଉଛି ତା’ର ତଥ୍ୟ ସମ୍ପୃକ୍ତ ଅଧିକାରୀମାନେ ପରବର୍ତ୍ତୀ ମାସର ୭ତାରିଖ ସୁଦ୍ଧା ସାଧାରଣ ପ୍ରଶାସନ ବିାଗର ସ୍ୱତନ୍ତ୍ର ସଚିବଙ୍କୁ ଇ-ମେଲ୍ ମାଧ୍ୟମରେ ଜଣାଇବାକୁ ମୁଖ୍ୟ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.