Latest Odisha News

BREAKING NEWS

ବିହାର ଭବନ ପାଇଁ ପୁରୀରେ ଜମି ଦେବେ ଓଡିଶା ସରକାର

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ମଧ୍ୟାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ପରେ ସାମ୍ବାଦିକମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପୁରୀରେ ବିହାର ଭବନ ପାଇଁ ରାଜ୍ୟ ସରକାର ବିହାର ସରକାରଙ୍କୁ ଦେଢ ଏକର ଜମି ମାଗଣାରେ ଯୋଗାଇଦେବେ।

ଜଗନ୍ନାଥ ଧାମ ପୁରୀକୁ ଆସୁଥିବା ବିହାରର ଲୋକମାନଙ୍କ ରହଣି ସୁବିଧା ପାଇଁ ବିହାର ସରକାର ବିହାର ଭବନ ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏହି ଘୋଷଣା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ନୀତୀଶ କୁମାର ଆଜି ମଧ୍ୟାହ୍ନରେ ସିଧା ବିମାନ ବନ୍ଦରକୁ ଆସି ନବୀନ ନିବାସରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିହାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ । ଏହି ଗସ୍ତ ବେଳେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜୀବ ରଞ୍ଜନ ଓରଫ ଲଲନ ସିଂହ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ବିହାରର ଜଳସମ୍ପଦ ମନ୍ତ୍ରୀ ସଞ୍ଜୟ କୁମାର ଝା ଉପସ୍ଥିତ ଥିଲେ। ପାଖାପାଖି ଘଣ୍ଟାଏରୁ ଅଧିକ ସମୟ ଧରି ଦୁଇ ନେତା ଆଲୋଚନା କରିଥିଲେ।

ଉଲ୍ଲେଖଯୋଗ୍ୟ, ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଓଡ଼ିଶା ଗସ୍ତରେ ଆସିଥିଲେ। ରାଜ୍ୟ ସରକାର ବେଳାଭୂମି କୂଳରେ ମାଗଣାରେ ଜମି ଯୋଗାଇ ଦେଇଛନ୍ତି। ଏଠାରେ ବଙ୍ଗୀୟ ପର୍ଯ୍ୟଟକଙ୍କ ପାଇଁ ପଶ୍ଚିମବଙ୍ଗ ସରକାର ରହଣି ପାଇଁ ଘର ତିଆରି କରିବେ ବୋଲି ନିଷ୍ପତ୍ତି ହୋଇଛି। ଗସ୍ତ ବେଳେ ମମତାଙ୍କୁ ଜମି ଦେଖାଇଥିଲେ ରାଜ୍ୟ ସରକାର।

Comments are closed.