Latest Odisha News

BREAKING NEWS

କିସ୍‍ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ରାଜ୍ୟପାଳ କମ୍ଭମପତି

ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଏବଂ ତାଙ୍କ ଧର୍ମପତ୍ନୀ ଡ.ଜୟଶ୍ରୀ କମ୍ଭମପତି ଆଜି କିଟ, କିସ୍‍ ଓ କିମ୍‍ସ ପରିଦର୍ଶନ କରିଥିଲେ। କିସର ଛାତ୍ରଛାତ୍ରୀଙ୍କ ସହ ସେ ମଧ୍ୟାହ୍ନ ଭୋଜନ କରିଥିଲେ। କିସ୍‍ ପିଲାଙ୍କ ସହ ବସି ମଧ୍ୟାହ୍ନଭୋଜନ କରିବାରେ କମ୍ଭମପତି ହେଉଛନ୍ତି ଓଡ଼ିଶାର ପ୍ରଥମ ରାଜ୍ୟପାଳ।

ଆଜି ପୂର୍ବାହ୍ନରେ ରାଜ୍ୟପାଳ ଡ. କମ୍ଭମପତି ସପତ୍ନୀକ କିଟ୍ ରେ ପହଞ୍ଚିବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କୁ ସ୍ୱାଗତ କରିଥିଲେ। ପରେ ରାଜ୍ୟପାଳ କିଟ୍‍ର ବିଭିନ୍ନ କ୍ୟାମ୍ପସ୍‍ ଓ କ୍ରୀଡ଼ା ଭିତ୍ତିଭୂମି ବୁଲି ଦେଖିଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍‍ ପରିଦର୍ଶନ ସମୟରେ ସେ ବିଭିନ୍ନ ସ୍କୁଲ୍‍ ବୁଲିବା ସହ ସେଠାରେ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟ ରୁରାଲ ମ୍ୟାନେଜମେଣ୍ଟ କ୍ୟାମ୍ପସ୍‍ ରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଓ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ସେମାନଙ୍କୁ ସ୍ୱାଗତ କରିଥିଲେ। ରାଜ୍ୟପାଳ କିଟ୍‍ର ଆକର୍ଷଣୀୟ ସ୍କଲ୍‍ପଚର୍‍ ପାର୍କ ପରିଦର୍ଶନ କରି ବିମୋହିତ ହୋଇଥିଲେ। ଏଠାରେ ପଥରରେ ଆଧ୍ୟାତ୍ମିକ ଓ ଶିକ୍ଷାର ସମନ୍ୱୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ।

ସେହିପରି ସେ କିଟ୍‍ର ଗୋଲାପ ବଗିଚା, ଲ ସ୍କୁଲ୍‍, ବାୟୋଟେକ୍ନୋଲୋଜି, କିମ୍‍ସ, କିମ୍‍ସ ସୁପରସ୍ପେଶିଆଲିଟି ହସ୍‍ପିଟାଲ୍‍ ଓ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ କ୍ୟାମ୍ପସ ପରିଦର୍ଶନ କରିଥିଲେ। କିସରେ ପହଞ୍ଚିବା ପରେ କିସ୍‍ ଛାତ୍ରଛାତ୍ରୀଙ୍କ ଦ୍ୱାରା ତାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଥିଲା। ପରେ କିସ୍‍ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କରିଥିଲେ।

ସୂଚନାଯୋଗ୍ୟ, ରାଜ୍ୟପାଳ କିସ୍‍ ପରିଦର୍ଶନ ସମୟରେ କିସ୍‍ ପିଲାଙ୍କ ସହ ମଧ୍ୟାହ୍ନଭୋଜନ ପାଇଁ ଇଚ୍ଛା ପ୍ରକଟ କରିଥିଲେ। ମଧ୍ୟାହ୍ନଭୋଜନ କରିବା ପରେ ସେ ପିଲାମାନଙ୍କ ସହ ଦୀର୍ଘ ସମୟ ଅତିବାହିତ କରି ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

ସମସ୍ତ କ୍ୟାମ୍ପସ ପରିଦର୍ଶନ ପରେ ଓଡ଼ିଶାରେ କିଟ୍‍ ଓ କିସ୍‍ ଭଳି ଅନୁଷ୍ଠାନ ଅଛି ଜାଣି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଇଂଜିନିୟରିଂ ପୃଷ୍ଠଭୂମି ଥିବା ଜଣେ ଶିକ୍ଷାବିତ୍‍ ଭାବେ ସେ କିଟ୍‍ ଓ କିସ୍‍ର ଶୈକ୍ଷିକ ପରିବେଶ ଦେଖି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ରାଜ୍ୟପାଳଙ୍କ କିସ୍‍ ପରିଦର୍ଶନ ସମୟରେ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ, କିସ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.