Latest Odisha News

BREAKING NEWS

ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ

ଭୁବନେଶ୍ୱର: ରାସ୍ତାରେ ବାଲି, ମାଟି, ଅଳିଆ, ରାସ୍ତା ମରାମତି କିମ୍ବା ନିର୍ମାଣ କାମରେ ବ୍ୟବହାର ହେଇଥିବା ବଳକା ସାମଗ୍ରୀ ପଡ଼ିବା ଯୋଗୁଁ ବିଭିନ୍ନ ସମୟରେ ଘଟୁଥିବା ସଡ଼କ ଦୁର୍ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଏହାସହ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହିକ୍ରମରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣ, ପୂର୍ତ୍ତ ବିଭାଗ, ପୌରପାଳିକା, ଏନଏସି ସମେତ ସମସ୍ତ ସଡ଼କ ନିର୍ମାଣକାରୀ ଏବଂ ରକ୍ଷଣାବେକ୍ଷଣ ସଂସ୍ଥାଗୁଡ଼ିକୁ ଚିଠି ଜାରି ହୋଇଛି। ଯେଉଁଥିରେ ରାସ୍ତାକୁ ଅସୁରକ୍ଷିତ କରୁଥିବା ବାଲି, ମାଟି, ଅଳିଆ, ରାସ୍ତା ମରାମତି କିମ୍ବା ନିର୍ମାଣ କାମରେ ବ୍ୟବହାର ହେଇଥିବା ବଳକା ସାମଗ୍ରୀ ହଟାଇବାକୁ କୁହାଯାଇଛି।

ରାସ୍ତାରେ ଏସବୁ ପଡିବା ଦ୍ୱାରା ଗାଡ଼ି ଚକା ଖସିବାର ଏବଂ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ବିଶେଷକରି ଦୁଇଚକିଆ ଚାଳକଙ୍କ ପାଇଁ ଏହା ବିପଦପୂର୍ଣ୍ଣ ହୋଇଥାଏ। ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ଏ ଦିଗରେ ସଂପୃକ୍ତ ସଂସ୍ଥା ଗୁଡ଼ିକ ଯତ୍ନବାନ ହେବାକୁ କୁହାଯାଇଛି। ମୋଟର ଯାନ ଆଇନ, ୧୯୮୮ର ଧାରା ୧୯୮(କ) ରେ ମଧ୍ୟ ଉଲ୍ଲେଖ ରହିଛି, ରାସ୍ତା ଡିଜାଇନ୍, ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ପାଇଁ ମାନଦଣ୍ଡ ପାଳନ କରିବାରେ ବିଫଳତା କ୍ଷେତ୍ରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ସମସ୍ତ ଏଜେନ୍ସିଙ୍କୁ ନିୟମିତ ଭାବେ ସଡ଼କ ପରିଷ୍କାର କରିବା, ବାଲି କିମ୍ବା ଅନ୍ୟ କିଛି ସାମଗ୍ରୀ ରାସ୍ତାରେ ରହିଲେ ତାକୁ ତୁରନ୍ତ ବାହାର କରିବାକୁ କୁହାଯାଇଛି। ଦୁର୍ଘଟଣାପ୍ରବଣ ସ୍ଥାନ, ସମ୍ବେଦନ ସଡ଼କ ଚିହ୍ନଟ କରି ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ଜଣାଇବେ। ଦୁର୍ଘଟଣା ତଦନ୍ତ ସମୟରେ ଯେକୌଣସି ତ୍ରୁଟି ଦେଖାଗଲେ ତାହାକୁ ଗମ୍ଭୀରତାର ସହ ବିଚାର କରାଯିବ ଏବଂ ତାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସଡ଼କ ସୁରକ୍ଷାର ବୃହତ୍ତର ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଚିଠି ଜାରି କରାଯାଇଛି ଏବଂ ଏହାକୁ ପାଳନ କରିବା ଅତ୍ୟନ୍ତ ଜରୁରୀ ବୋଲି ନିର୍ଦ୍ଦେଶ ଦିଆଯାଇଛି।

 

Leave A Reply

Your email address will not be published.