Latest Odisha News

ଯନ୍ତ୍ରୀଙ୍କ ବଦଳି ଉପରେ ନୂଆ ନିୟମ ଜାରି କଲେ ଓଡ଼ିଶା ସରକାର

ଭୁବନେଶ୍ବର: ପୂର୍ତ୍ତ ବିଭାଗରେ ଜାରି ହେବ ନୂଆ ବଦଳି ନୀତି । ପ୍ରସ୍ତାବିତ ଚୁଡାନ୍ତ ନୀତି ଏବେ ପ୍ରସ୍ତୁତ ହେଉଛି । ଏହା ମଧ୍ୟରେ ବିଭାଗ ପକ୍ଷରୁ ଏକ ମଧ୍ୟବର୍ତ୍ତୀକାଳିନ ବଦଳି ନୀତି ପ୍ରକାଶ ପାଇଛି । ବିଭାଗରେ ସ୍ବଚ୍ଛତା ଏବଂ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହି ବଦଳି ନୀତି କାର୍ଯ୍ୟକାରୀ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରର ପୃଷ୍ଠଭୂମୀରେ ଏହି ନୀତି ପ୍ରସ୍ତୁତ ହୋଇଥିବା ଶୁଣିବାକୁ ମିଳୁଛି ।

ଏଣିକି ଏହି ବଦଳି ନୀତି ଆଧାରରେ ଓଡିଶା ଇଂଜିନିୟରିଂ ସର୍ଭିସ ଓ ଓଡିଶା ଡିପ୍ଲୋମା ଇଂଜିନିୟର୍ସ ସର୍ଭିସ କ୍ୟାଡର ଯନ୍ତ୍ରୀମାନଙ୍କ ବଦଳି କରାଯିବ । ଏହି ନୀତି ଅନୁଯାୟୀ ଦୁଇଟି ଆଧାରରେ ବ୍ୟକ୍ତିଗତ ଏବଂ ପ୍ରଶାସନିକ ଆବଶ୍ୟକତା ଆଧାରରେ ବଦଳି କରାଯିବ ।

ମିଳିଥିବା ସୂଚନା ଅନୁଯାୟୀ ପ୍ରଶାସନିକ ଆବଶ୍ୟକତାରେ ବିଭିନ୍ନ କ୍ଷେତ୍ରୀୟ କାର୍ଯ୍ୟାଳୟର ଆବଶ୍ୟକତାକୁ ସମତୁଲ କରିବାକୁ ବଦଳି କରାଯିବ । ବ୍ୟକ୍ତିଗତ ଆଧାରରେ, ସ୍ବାସ୍ଥ୍ୟ କିମ୍ବା ଅନ୍ୟ ବ୍ୟକ୍ତିଗତ କାରଣ ପାଇଁ ବଦଳି କରାଯିବ ।

ସାଧାରଣ ଭାବେ ଗୋଟିଏ ସ୍ଥାନ ଓ ଗୋଟିଏ ପଦବୀରେ ତନି ବର୍ଷ କାମ କରିବା ପରେ ଇଂଜିନୟରଙ୍କ ବଦଳି ହେବ । କିନ୍ତୁ କୌଣସି ଅଧିକାରୀ ଗୋଟିଏ ସ୍ଥାନ କିମ୍ବା ପଦରେ କୌଣସି ମତେ ୫ ବର୍ଷରୁ ଅଧିକ ରହିପାରିବେ ନାହିଁ ବୋଲି ସୂଚନା ମିଳିଛି।

ଓଡିଶା ଇଂଜିନିୟରଂ ସର୍ଭିସ କ୍ୟାଡର ଅଧିକାରୀମାନେ ଗୋଟିଏ ରାଜସ୍ବ ଜିଲ୍ଲାରେ ୧୦ ବର୍ଷରୁ ଅଧିକ ରହି କାମ କରିପାରିବେ ନାହିଁ । ଓଡିଶା ଡିପ୍ଲୋମା ଇଂଜିନୟର ସର୍ଭିସ କ୍ୟାଡର ପାଇଁ ଏହି ସମୟ ସୀମା ୧୫ ବର୍ଷ ରଖାଯାଇଛି।

ଓଡିଶା ଇଂଜିନିୟରିଂ ସର୍ଭିସ କ୍ୟାଡର ଅଫିସର ନିଜ ଜିଲ୍ଲାରେ ଏବଂ ଓଡିଶା ଡିପ୍ଲୋମା ଇଂଜନିୟର ସର୍ଭିସ କ୍ୟାଡର ଇଂଜିନିୟର ନିଜ ସବଡିଭିଜନରେ ପୋଷ୍ଟିଂ ପାଇପାରିବେ ନାହିଁ ।

ଅନ୍ୟପକ୍ଷରେ ଅବସର ପାଇଁ ଦୁଇ ବର୍ଷ ଥିବା ଅଧିକାରୀଙ୍କ ବଦଳି କରାଯିବ ନାହିଁ । କିନ୍ତୁ ପ୍ରଶାସନିକ ଆବଶ୍ୟକତା କିମ୍ବା ସ୍ବାସ୍ଥ୍ୟଗତ କାରଣରୁ ବଦଳି କରାଯାଇପାରିବ ବୋଲି ଏହି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ଡେପୁଟେସନରେ ଅନ୍ୟ ବିଭାଗରେ ୧୦ ବର୍ଷ ଧରି କାମ କରିଥିବା ଇଂଜିନିୟରଙ୍କୁ ସେମାନଙ୍କ ମୂଳ ବିଭାଗକୁ ଫେରାଇ ଅଣାଯିବ । ତେବେ ଏହିସବୁ ବଦଳି ନୀତି ସାଧାରଣ ଲୋକଙ୍କ ସ୍ବାର୍ଥ କିମ୍ବା ସଂପୃକ୍ତ ଇଂଜିନୟରଙ୍କ ପରିବାର ଲୋକଙ୍କ ସ୍ବାସ୍ଥ୍ୟଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୋହଳ କରାଯାଇପାରିବ ବୋଲି ସୂଚନା ମିଳିଛି ।

ଏହି ବଦଳି ନୀତିର କାର୍ଯ୍ୟକାରିତା ଏବଂ ବଦଳିର ଆବଶ୍ୟକତାକୁ ବିଚାର କରିବା ପାଇଁ କେତେକ କମିଟି ଗଠନ କରାଯାଇଛି । ଏହି କମିଟିର ସୁପାରିଶ ଆଧାରରେ କର୍ତ୍ତୃପକ୍ଷ ଆବଶ୍ୟକୀୟ ନିଷ୍ପତ୍ତି ନେବେ । କାର୍ଯ୍ୟନିର୍ବାହୀ ଯନ୍ତୀ କିମ୍ବା ତଦୁର୍ଦ୍ଧ ଶ୍ରେଣୀର ଇଂଜିନିୟରଙ୍କ ବଦଳି ସଂକ୍ରାନ୍ତ ନିଷ୍ପତ୍ତି ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିଷ୍ପତ୍ତି ନେବ ।

ସେହିପରି ଉପ-କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସଂପର୍କରେ ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିଷ୍ପତ୍ତି ନେବ । ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ସଂକ୍ରାନ୍ତ ନିଷ୍ପତ୍ତି ପାଇଁ ମୁଖ୍ୟଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆବଶ୍ୟକୀୟ ସୁପାରିଶ କରିବ ।

Leave A Reply

Your email address will not be published.