Latest Odisha News

ସହିଦ ଦେବାଶିଷଙ୍କ ପରିବାରକୁ ରାଜ୍ୟ ସରକାର ଦେଲେ ୨୫ ଲକ୍ଷ ଟଙ୍କା, ଅନ୍ୟ ୪ ସହିଦଙ୍କୁ ୧ କୋଟି ଲେଖାଏଁ ଦେଲା ପଞ୍ଜାବ ସରକାର

ଭୁବନେଶ୍ୱର: ଜମ୍ମୁ କଶ୍ମୀର ପୁଞ୍ଚରେ ସହିଦ ହୋଇଥିବା ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୨୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସହିଦ ଦେବାଶିଷ ବିଶ୍ବାଳଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ଏହି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ଭଗବାନ ସେମାନଙ୍କୁ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

ଅନ୍ୟପଟେ ପଞ୍ଜାବ ସରକାର ଶୁକ୍ରବାର ସହିଦ ହୋଇଥିବା ୪ ଜଣ ଯବାନଙ୍କ ପରିବାରକୁ ୧ କୋଟି ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ପୁଞ୍ଚ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୪ ସେନା ଯବାନଙ୍କ ପରିବାରକୁ ଆମେ ଏକ କୋଟି ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବୁ ବୋଲି ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ କହିଛନ୍ତି।

ଗୁରୁବାର ସେନାର ଗାଡ଼ିକୁ ଅଜଣା ଆତଙ୍କବାଦୀମାନେ ଆକ୍ରମଣ କରି ନିଆଁ ଲଗାଇଦେବା ଫଳରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏହି ୫ଜଣ ସହିଦଙ୍କ ମଧ୍ୟରୁ ୪ଜଣ ପଞ୍ଜାବର ବାସିନ୍ଦା ହୋଇଥିବା ବେଳେ ଜଣେ ଓଡ଼ିଶା ପୁରୀ ଜିଲ୍ଲା ସତ୍ୟବାଦୀର।

ସହିଦ ପାଞ୍ଚ ଯବାନ ହେଲେ ହାବିଲଦାର ମନଦୀପ ସିଂ, ଲାନ୍ସ ନାୟକ ଦେବଶିଷ ବିଶ୍ୱାଳ, ଲାନ୍ସ ନାୟକ କୁଲୱନ୍ତ ସିଂହ, ସିପାହୀ ହରକୃଷ୍ଣ ସିଂହ ଏବଂ ସିପାହୀ ସେବକ ସିଂହ। ଏହି ଯବାନ ମାନେ ରାଷ୍ଟ୍ରିୟ ରାଇଫଲ ୟୁନିଟରେ ନିୟୋଜିତ ଥିଲେ ଏବଂ ଆତଙ୍କବାଦୀ ଅପରେସନରେ କାର୍ଯ୍ୟ କରୁଥିଲେ।

Comments are closed.