Latest Odisha News

BREAKING NEWS

ଧାନ ମିଲରଙ୍କ ସହ କଥା ହେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ନେଇ ମିଲରମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିଖିଳ ଓଡ଼ିଶା ରାଇସ୍‌ ମିଲର୍ସ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି।

ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ପୂର୍ତ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିଃ.ର ପରିଚାଳନା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ନିଖିଳ ଓଡ଼ିଶା ରାଇସ୍‌ ମିଲର୍ସ ସଂଘର ସଭାପତି, ସଂପାଦକ ଓ ଅନ୍ୟ କର୍ମକର୍ତ୍ତା ମାନେ ଯୋଗଦେଇ ଆଲୋଚନା କରିଥିଲେ। ରାଜ୍ୟରେ ସରକାରୀ ବ୍ୟବସ୍ଥାରେ ଧାନ ସଂଗ୍ରହ, ଧାନରୁ ଚାଉଳ ପ୍ରସ୍ତୁତି ପରେ ସରକାରଙ୍କୁ ଚୁକ୍ତିଭିତ୍ତିକ ଚାଉଳ ଯୋଗାଣ ଏବଂ ରାଜ୍ୟ ସରକାରଙ୍କ ଠାରୁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଚାଉଳ ସଂଗ୍ରହ କରିବା ଆଦି ସମସ୍ୟା ଓ ସେସବୁର ସମାଧାନ ଦିଗରେ ସଂଘର କର୍ମକର୍ତ୍ତା ମାନେ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ମୁଖ୍ୟ ଶାସନ ସଚିବ, ନିଖିଳ ଓଡ଼ିଶା ରାଇସ୍‌ ମିଲର୍ସ ସଂଘ ଠାରୁ ମିଲରମାନଙ୍କ ସମସ୍ୟା ସଂପର୍କରେ ଶୁଣି ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି। ଅନ୍ୟ ପକ୍ଷରେ ମିଲର୍ସ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି ଯେ ଧାନ ସଂଗ୍ରହ, ଚୁକ୍ତିଭିତ୍ତିକ କଷ୍ଟମ ମିଲ୍ଡ ଚାଉଳ ପ୍ରଦାନ କରିବା ଏକ ନିରନ୍ତର ପ୍ରକ୍ରିୟା। ଏଥିରେ ମିଲର୍ସମାନଙ୍କର ସହଯୋଗ ରହିଛି। କିନ୍ତୁ ସାମଗ୍ରିକ ପ୍ରକ୍ରିୟାରେ ମିଲର୍ସମାନେ ଦୀର୍ଘ ଦିନରୁ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସେମାନେ ଅନୁରୋଧ କରିଥିଲେ।

 

Comments are closed.