Latest Odisha News

BREAKING NEWS

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ମାମଲା, ରାଜ୍ୟ ସରକାରଙ୍କ ସତ୍ୟପାଠକୁ ଅଗ୍ରାହ୍ୟ କଲେ ହାଇକୋର୍ଟ

କଟକ: ରାଜ୍ୟର ବିଭିନ୍ନ ମେଡିକାଲରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ହୋଇଥିବା ରୁଜୁ ମାମଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦାଖଲ ସତ୍ୟପାଠ ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୁଧବାର ରାଜ୍ୟ ସରକାରଙ୍କ ସତ୍ୟପାଠକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ। ସ୍ପଷ୍ଟ ଯୋଜନା ସହ ସତ୍ୟପାଠ ଦିଆଯାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ। ଆବେଦନକାରୀଙ୍କ ଜବାବ ଉପରେ ସ୍ୱାସ୍ଥ୍ୟ ବିଭାଗ ଯେଉଁ ପ୍ରତିଜବାବ ଦାଖଲ କରିଛି ସେଥିରେ ସଠିକ ତଥ୍ୟ ନାହିଁ। ତେଣୁ ପରବର୍ତ୍ତୀ ଶୁଣାଣି ସୁଦ୍ଧା ସମ୍ପୂର୍ଣ୍ଣ ତଥ୍ୟ ସହ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆଇନଜୀବୀ ତଥା ସମାଜସେବୀ ଚିତ୍ତରଞ୍ଜନ ମହାନ୍ତିଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଜଷ୍ଟିସ୍ ଏସ୍. ତାଳପତ୍ର ଏବଂ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସରକାରୀ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ନାହାଁନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଦାଲତରେ ସତ୍ୟପାଠ ଦାଖଲ କରାଯାଇଥିଲା। ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ଲାଗି ବିଭିନ୍ନ ପଦବୀ ପୂରଣ ଲାଗି ପଦକ୍ଷେପ ନିଆଯାଉଛି ବୋଲି କୁହାଯାଇଥିଲା। କିନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ପଦ ଖାଲି ରହିଛି ସେ ସମ୍ପର୍କରେ ଉଲ୍ଲେଖ କରାଯାଇନଥିଲା।

ସେହିପରି ସରକାରୀ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ଓ କର୍ମଚାରୀ କାର୍ଯ୍ୟ ସମୟରେ ଅନୁପସ୍ଥିତ ରହୁଛନ୍ତି। ସରକାରୀ ଡାକ୍ତରଖାନା ପରିସରରେ ଦଲାଲମାନେ ରୋଗୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇବା ପାଇଁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗ ନେଇ ମାମଲାରେ ହାଇକୋର୍ଟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ସରକାରୀ ମେଡିକାଲ ପରିସରକୁ ଦଲାଲମୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୁନ୍‌ ୨୭ ସୁଦ୍ଧା ରାଜ୍ୟ ସରକାର ଏ ସଂପର୍କିତ ଅତିରିକ୍ତ ସତ୍ୟପାଠ ଦାଖଲ କରିବେ।

Leave A Reply

Your email address will not be published.