Latest Odisha News

BREAKING NEWS

ଆରଟିଓ ଅଫିସରେ ପ୍ରବଳ ଭିଡ; ଦସ୍ତାବିଜ୍ ସଂଗ୍ରହ ନେଇ ବଢିପାରେ ଡେଡଲାଇନ୍

ଭୁବନେଶ୍ୱର: ଗାଡି ସମ୍ବନ୍ଧୀୟ ସମସ୍ତ କାଗଜ ପତ୍ର ହାସଲ ଲାଗି ରାଜ୍ୟବ୍ୟାପୀ ଆରଟିଓ ଅଫିସ୍ ଗୁଡିକରେ ପ୍ରବଳ ଭିଡ ପରିଲିଖିତ ହେଉଥିବା ବେଳେ ଏହାର ସମୟସୀମା ଅଧିକ ବୃଦ୍ଧି କରିପାରନ୍ତି ଓଡିଶା ସରକାର ।

ଆସନ୍ତା ନଭେମ୍ବର ୩୦ ତାରିଖରେ ଏହା ଡେଡଲାଇନ୍ ସମାପ୍ତ ହେଉଛି । ଯାହାଫଳରେ ନୂଆ ମୋଟର ଯାନ ଅଧିନିୟମ ୨୦୧୯ ଅନୁଯାୟୀ ଡିସେମ୍ବର ୧ ତାରିଖରୁ ରାଜ୍ୟରେ ଟ୍ରାଫିକ୍ ନିୟମ ପୁଣିଥରେ କଡାକଡି ଭାବେ ଲାଗୁ କରାଯିବ ।

ଗଣମାଧ୍ୟମକୁ ସୂଚନା ଦେଇ ଗୁରୁବାର ଦିନ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତୀ, “ରାଜ୍ୟର ସମସ୍ତ ଆରଟିଓ ଅଫିସରେ ପ୍ରବଳ ଭିଡ ନେଇ ସୂଚନା ମିଳିଛି । ତେଣୁ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଡିସେମ୍ବର ୧ରୁ ପୁଣିଥରେ ଟ୍ରାଫିକ୍ ନିୟମ କଡାକଡି ହେବ କି ନାହିଁ, ସେନଇ ନିଷ୍ପତ୍ତି କରାଯିବ” ।

ରାଜ୍ୟ ବିଧାନସଭାରେ ଗୁରୁବାର ଦିନ ଶୂନ୍ୟକାଳ ଅବସରରେ ଏହି ପ୍ରସଙ୍ଗ ଉଠାଇ ବିଜେଡିର ସଦସ୍ୟ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ପରିବହନ ଅଫିସରେ କର୍ମଚାରୀଙ୍କ ଅଭାବ ଯୋଗୁଁ ଜନସାଧାରଣ ଠିକ୍ ସମୟରେ ଆବଶ୍ୟକୀୟ ଦସ୍ତାବିଜ୍ ପାଇପାରୁନାହାଁନ୍ତି । ଏଥିସହିତ ଭୁବନେଶ୍ୱରକୁ ଛାଡି ରାଜ୍ୟର ଅନ୍ୟ ସମସ୍ତ ଆରଟିଓ ଅଫିସ୍ ସନ୍ଧ୍ୟାରେ ବନ୍ଦ ହୋଇଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଚାର ବିମର୍ଶ କରୁଛନ୍ତି ।

ଶ୍ରୀ ମିଶ୍ରଙ୍କ ସହ ସ୍ୱର ମିଶାଇ ପ୍ରଦୀପ ମହାରଥୀ ମଧ୍ୟ ଆରଟିଓ କାର୍ଯ୍ୟାଳୟରେ ହେଉଥିବା ଭିଡକୁ ମୋଗଲ ଶାସନ କାଳର ଜିଜିଆ କର ସହ ତୁଳନା କରିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.