ଭୁବନେଶ୍ୱର: ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କ ଉପରେ ହୋଇଥିବା ନିର୍ମମ ଆକ୍ରମଣ ପରେ ଓଡ଼ିଶା ସରକାର ତଦନ୍ତ ପାଇଁ ଦକ୍ଷିଣ ରାଜ୍ୟରେ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି। ଏଥିସହିତ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିନ୍ତା ପ୍ରକାଶ କରିଛନ୍ତି।
ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀ ତୁରନ୍ତ ସଂଜ୍ଞାନ ନେବା ସହ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଜଣେ ନିରୀହ ଓଡ଼ିଆ ପୁଅ ଉପରେ ଏଭଳି ବର୍ବରୋଚିତ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ବୋଲି ଏକ୍ସ ରେ ପୋଷ୍ଟ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା ସରକାର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ପୀଡ଼ିତଙ୍କୁ ସମସ୍ତ ପ୍ରକାର ଉତ୍ତମ ଚିକିତ୍ସା ଓ ସହାୟତା ଯୋଗାଇ ଦେବା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ପ୍ରଶାସନିକ ସ୍ତରରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି। ଓଡ଼ିଆଙ୍କ ସୁରକ୍ଷା ଓ ସ୍ଵାଭିମାନ ଆମ ପାଇଁ ସର୍ବୋପରି। ରାଜ୍ୟ ବାହାରେ କର୍ମରତ ପ୍ରତ୍ୟେକ ଓଡ଼ିଆ ଭାଇଭଉଣୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମେ ସଂକଳ୍ପବଦ୍ଧ।
ଅପରପକ୍ଷରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଛନ୍ତି ଯେ ତାମିଲନାଡୁ ପଠାଯାଇଥିବା ଓଡ଼ିଶା ଅଧିକାରୀ ତଦନ୍ତ କରିବେ ଏବଂ ରାଜ୍ୟ ସରକାରଙ୍କୁ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବେ। ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାମିଲନାଡୁ ସରକାରଙ୍କୁ ମଧ୍ୟ ଅନୁରୋଧ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଏହି ଘଟଣା ଡିସେମ୍ବର ୨୭ ତାରିଖରେ ତାମିଲନାଡୁର ତିରୁତ୍ତନୀରେ ରେଳବାଇ କ୍ୱାର୍ଟର୍ସ ନିକଟରେ ଘଟିଥିଲା। ତିନି ଜଣ ନାବାଳକ ଜଣେ ଓଡ଼ିଆ ଯୁବକଙ୍କୁ ନିର୍ମମ ଭାବରେ ଆକ୍ରମଣ କରୁଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।