Latest Odisha News

BREAKING NEWS

ଲଗାଣ ବର୍ଷା ଯୋଗୁଁ କ୍ଷୟକ୍ଷତି ଆକଳନ ଲାଗି ଜିଲ୍ଲାପାଳମାନଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ନ୍ର: ରାଜ୍ୟରେ ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଚାଷ ସମେତ ଅନେକ କ୍ଷୟକ୍ଷତି ଘଟିଛି । ପ୍ରବଳ ବର୍ଷା ଫଳରେ ଏହି କ୍ଷୟକ୍ଷତିର ଆକଳନ କରିବା ନେଇ ରାଜ୍ୟ ସରକାର ଶନିବାର ଦିନ ସଂପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ସ୍ୱତନ୍ତ୍ର ରିଲିଫ କମିଶନର୍ (ଏସଆରସି) ତଥା ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ପ୍ରଦୀପ ଜେନା ଏକ ପତ୍ର ମାଧ୍ୟମରେ କହିଛନ୍ତି, ରାଜ୍ୟର ବିଭିିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଅନୁଭୁତ ହୋଇଥିବା ସରକାର ଘୋଷଣା କରିଛନ୍ତି । ତେଣୁ ଏହାଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଦ୍ୱାରା ଖର୍ଚ୍ଚ ବହନ ନିମନ୍ତେ ସରକାର ଚିନ୍ତା କରୁଛନ୍ତି । କ୍ଷୟକ୍ଷତିର ସଠିକ୍ ଆକଳନ କରିବା ସହିିତ ମରାମତି ତଥା ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଯିବ ।

“ବିଭିନ୍ନ ଅଞ୍ଚଳ ରେ ହୋଇଥିବା ଚାଷ ଯାହାକି ୩୩ ପ୍ରତିଶତରୁ ଅଧିକ କ୍ଷତି ପହଞ୍ଚିଥିବ, ବାସଗୃହ, ଚାଷଜମି ଇତ୍ୟାଦିରେ କ୍ଷୟକ୍ଷତି ଆକଳନ କରାଯିବ । ଯେଉଁସବୁ ଅଞ୍ଚଳରେ କ୍ଷୟକ୍ଷତି ହୋଇଛି, ସେଠାରେ କେତେ ପରିମାଣରେ ସମ୍ପତି କ୍ଷତି ପହଁଚିଛି ସେହି ଅନୁସାରେ ପ୍ରପୀଡ଼ିତମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ତେବେ ବିପର୍ଯ୍ୟୟ ପାଣ୍ଠିର ଗାଇଡ଼ ଲାଇନ ଅନୁସାରେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ,” ବୋଲି ଏସଆରସି ଶ୍ରୀ ଜେନା କହିଛନ୍ତି ।

ଏସଆରସିଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ସେଠାରେ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ନଭେମ୍ବର ୪ ତାରିଖ ସୁଦ୍ଧା କ୍ଷୟକ୍ଷତିର ଆକଳନ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର୍ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ପ୍ରପୀଡ଼ିତ ମାନେ କିପରି ଆର୍ଥିକ ସହାୟତା ପାଇପାରିବେ ସେ ସମ୍ପର୍କରେ ମଧ୍ୟ ଏସଆରସି ଉଲ୍ଲେଖ କରିଛନ୍ତି । ସମସ୍ତ ହିତାଧିକାରୀ ତଥା ପ୍ରପୀଡ଼ିତଙ୍କ ଜମାଖାତାକୁ ସିଧାସଳଖ ଏହି ସହାୟତା ରାଶି ପଠାଇଦିଆଯିବ । ସେଥିପାଇଁ ସଂପୃକ୍ତ ଜିଲ୍ଲାପାଳମାନେ ପ୍ରପୀଡ଼ିତମାନଙ୍କର ବ୍ୟାଙ୍କ ଜମାଖାତାର ସବିଶେଷ ବିବରଣୀ ପୂର୍ବରୁ ସଂଗ୍ରହ କରି ରଖିବା ନିମନ୍ତେ ପରାମର୍ଶ ଦେଇଛନ୍ତି ।

Comments are closed.