Latest Odisha News

ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ ପାଇଁ ଗଠନ ହେବ ଟାସ୍କଫୋର୍ସ

ଭୁବନେଶ୍ୱର: ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁରକ୍ଷିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ, ଗୃହ ବିଭାଗ ଏବଂ ବିଦ୍ୟୁତ ନିରୀକ୍ଷକଙ୍କୁ ନେଇ
ମିଳିତ ଟାସ୍କ ଫୋର୍ସ ଗଠନ କରାଯିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି।

ମହାନଗର ନିଗମ ଅଧିନରେ ଥିବା ସ୍ୱାସ୍ଥ୍ୟାନୁଷ୍ଠାନ ପାଇଁ ମହାନଗର ନିଗମର କମିଶନର, ପୋଲିସ ଏସ୍‌ପି/ଡିଏସ୍‌ପି, କ୍ୟାପିଟାଲ୍‌ ହସ୍‌ପିଟାଲ, ଭୁବନେଶ୍ୱରର ନିର୍ଦ୍ଦେଶକ/ ଆର୍‌ଜିଏଚ୍‌, ରାଉରକେଲା/ ସିଡିଏମ୍‌ ଏବଂ ପିଏଚ୍‌ଓ, ଫାୟାର ଅଫିସର, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଏବଂ ବିଦ୍ୟୁତ ନିରୀକ୍ଷକଙ୍କୁ ନେଇ ଟାସ୍କ ଫୋର୍ସ ଗଠନ କରାଯିବ ।

ସେହିପରି ଜିଲ୍ଲାଗୁଡ଼ିକ ପାଇଁ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍‌, ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜନସ୍ୱାସ୍ଥ୍ୟ ଅଧିକାରୀ, ସହକାରୀ ଅଗ୍ନି ନିର୍ବାପକ ଅଧିକାରୀ, ଅଧୀକ୍ଷଣ ଯନ୍ତ୍ରୀ ତଥା ଉପବିଦ୍ୟୁତ ନିରୀକ୍ଷକଙ୍କୁ ନେଇ ଟାସ୍କ ଫୋର୍ସ ଗଠନ କରାଯିବ।

ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ସୁନିଶ୍ଚିତ କରିବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏବଂ ବିଭିନ୍ନ ବିଭାଗ ଏଥି ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ମେଡ଼ିକାଲ କଲେଜ ଏବଂ ହସ୍‌ପିଟାଲ୍‌, ଜିଲ୍ଲା
ସଦର ମହକୁମା ହସ୍‌ପିଟାଲ ସମେତ ସମସ୍ତ ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଭବିଷ୍ୟତରେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

ଏ ସମ୍ପର୍କରେ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଉଛି । ଗତକାଲି କଟକର ତେଲେଙ୍ଗାବଜାର ସ୍ଥିତ ଦୁଇଟି ନର୍ସିଂ ହୋମରେ ଅଗ୍ନିକାଣ୍ଡ
ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅନୁଷ୍ଠାନର ମୁଖ୍ୟମାନଙ୍କୁ ଏସମ୍ପର୍କରେ ରହିଥିବା ନିର୍ଦ୍ଦେଶନାମାକୁ କଡ଼ାକଡି ଭାବେ ଅନୁପାଳନ ଓକାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଡାକ୍ତରଖାନାଗୁଡ଼ିକରେ ନିୟମିତ ଭାବରେ ଅଗ୍ନି ନିର୍ବାପକ ଯନ୍ତ୍ର, ହାଇଡ୍ରାଣ୍ଟ ଏବଂ ଆଲାର୍ମର ଯାଞ୍ଚ କରିବା, ନିଆଁ ଲିଭାଇବା ଯନ୍ତ୍ରର ସମାପ୍ତି ତାରିଖ, ହାଇଡ୍ରାଣ୍ଟର ୱାଟର ପ୍ରେସର ସହ ଅଗ୍ନି ଆଲାର୍ମ ବ୍ୟବସ୍ଥାର କାର୍ଯ୍ୟକାରିତା ନେଇ ଯାଞ୍ଚ କରିବା ଆବଶ୍ୟକ। ହସ୍‌ପିଟାଲ୍‌ ଆଇସିୟୁ, ଅପରେସନ୍‌ ଥିଏଟର ଆଦି ମୁଖ୍ୟ ଅଞ୍ଚଳର ସ୍ୱୟଂଶାସିତ ସିଞ୍ଚନ ଯନ୍ତ୍ର ସ୍ଥାପନ କରାଯିବ  ଯାହାକି ଆଲାର୍ମ ସହିତ ସଂଯୁକ୍ତ ହୋଇ ଅଗ୍ନିକାଣ୍ଡବେଳେ କାର୍ଯ୍ୟକ୍ଷମ ହୋଇପାରିବ ।

Comments are closed.