Latest Odisha News

BREAKING NEWS

ଡାକ୍ତର, ନର୍ସ ବାୟୋମେଟ୍ରିକରେ ଉପସ୍ଥାପନା ପକାଇବେ

ଭୁବନେଶ୍ୱର: ଖୁବଶୀଘ୍ର ସମସ୍ତ ଜିଲ୍ଲା ହସ୍ପିଟାଲ ଓ ମେଡିକାଲ କଲେଜରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଲାଗୁ ହେବ। ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଗୁରୁବାର ଏହି ସୂଚନା ଦେଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରୁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ପାଇଲଟ୍ ଭିତ୍ତିରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ ହେବ। ପରେ ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏହା ସମ୍ପ୍ରସାରିତ ହେବ।

ତେବେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଏହି ବ୍ୟବସ୍ଥା ପୂର୍ବରୁ ରହିଛି। ସମସ୍ତ ମେଡିକାଲ କଲେଜ ଏବଂ ଜିଲ୍ଲା ଚିକିତ୍ସାଳୟରେ ପରୀକ୍ଷାମୂଳକ ଭାବେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ ହେବ। ଏହା ସଫଳ ହେଲେ ପରବର୍ତ୍ତୀ ସମୟରେ ଏହାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ଯ ହସ୍ପିଟାଲକୁ ସମ୍ପ୍ରସାରଣ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି।

ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶା ସରକାର ୧୦୮ ଆମ୍ବୁଲାନ୍ସରେ ନୂଆ ୨୩୬ ଆମ୍ବୁଲାନ୍ସ ସାମିଲ କରିବା ପାଇଁ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଫଳରେ ଆମ୍ବୁଲାନ୍ସ ସେବା ପାଇବାରେ କମ୍ ସମୟ ପଡ଼ିଲେ ରୋଗୀମାନେ ଉପକୃତ ହୋଇପାରିବେ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ରୋଗୀଙ୍କ ନିକଟରେ ଆମ୍ବୁଲାନ୍ସ ପ୍ରାୟ ୩୦ ମିନିଟରୁ ୨୦ ମିନିଟକୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

କେବଳ ସେତିକି ନୁହେଁ, ଓଡ଼ିଶା ସରକାର ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ‘ଆମ ହସ୍ପିଟାଲ’ ଖୋଲିବେ ଏବଂ ୯ ମାସ ମଧ୍ୟରେ ସେଗୁଡ଼ିକ କାର୍ଯ୍ୟକ୍ଷମ ହେବ। ଜିଲ୍ଲା ଉପଖଣ୍ଡ ଚିକିତ୍ସାଳୟଗୁଡ଼ିକୁ ଚୟନ କରାଯାଇ ‘ଆମ ହସ୍ପିଟାଲ’ରେ ଉନ୍ନୀତ କରାଯିବ। ଏହି ଡାକ୍ତରଖାନାଗୁଡ଼ିକର ବିକାଶ ପାଇଁ ୭୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଯେଉଁଠାରେ ରୋଗୀମାନେ ସମସ୍ତ ମୌଳିକ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ।

ଏହାବ୍ୟତୀତ ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା ସରକାର ୫ ହଜାର ଡାକ୍ତର ଓ ୯ ହଜାର ଷ୍ଟାଫ୍ ନର୍ସଙ୍କୁ ନିଯୁକ୍ତି ଦେବେ ଏବଂ ୨୦୨୪ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଏମବିବିଏସ୍ ଡାକ୍ତର ରହିବେ ବୋଲି ଶାଳୀନି ପଣ୍ଡିତ କହିଛନ୍ତି।

 

Comments are closed.