ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ପ୍ରତ୍ୟେକ ମେଡିକାଲ କଲେଜ ଓ ଡେଣ୍ଟାଲ କଲେଜର ଛାତ୍ର କଲ୍ୟାଣ ପାଣ୍ଠି ପାଇଁ ୮ ଲକ୍ଷରୁ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିବାକୁ ଘୋଷଣା କରିଛନ୍ତି। ମଙ୍ଗଳବାର ଜାରି ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଏହି ପାଣ୍ଠି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ କ୍ରାଡା ଓ ସାଂସ୍କୃତିକ କାର୍ଯ୍ୟକଳାପ ପାଇଁ ଖର୍ଚ୍ଚ କରିବା ପାଇଁ ଉଦ୍ଦିଷ୍ଟ।
ପ୍ରତ୍ୟେକ ସରକାରୀ ମେଡିକାଲ କଲେଜ ଓ ଏସସିବି ଡେଣ୍ଟାଲ କଲେଜରେ ଏହି ପାଣ୍ଠିର ଖର୍ଚ୍ଚ ପରିଚାଳନା ପାଇଁ ଏକ କମିଟି ଗଠନ କରାଯିବ। ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ପ୍ରଶାସନିକ ଅଧିକାରୀ, ଉପଦେଷ୍ଟା ଏବଂ କଲେଜର ଛାତ୍ର ସଂସଦ ଓ ଆକାଉଣ୍ଟସ୍ ଅଫିସର ସଦସ୍ୟ ରହିବେ।
୫ ବର୍ଷରୁ ଅଧିକ ପୁରୁଣା ମେଡିକାଲ କଲେଜକୁ ୨୦ ଲକ୍ଷ ଟଙ୍କା ଲେଖାଏଁ ମିଳୁଥିବା ବେଳେ ଅନ୍ୟମାନଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର କରାଯିବ। ସେହିପରି ପିଜି ଇନଷ୍ଟିଚ୍ୟୁଟ, ଏସସିବି ଡେଣ୍ଟାଲ କଲେଜ, ଏସସିବି ମେଣ୍ଟାଲ ହେଲ୍ଥ ଇନଷ୍ଟିଚ୍ୟୁଟକୁ ସେମାନଙ୍କ ଛାତ୍ର କଲ୍ୟାଣ ପାଣ୍ଠି ପାଇଁ ୮ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।
ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ସେମାନଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ସରକାରୀ ପାଣ୍ଠିରୁ ଖର୍ଚ୍ଚ କରିବା ପାଇଁ ଦାବି କରି ଆସୁଛନ୍ତି। କ୍ରୀଡ଼ା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀତ ଏହି ପାଣ୍ଠିକୁ କ୍ରୀଡ଼ା କିଟ୍ ଏବଂ ବାଦ୍ୟଯନ୍ତ୍ର କିଣିବା ଏବଂ ବିଭିନ୍ନ ରାଜ୍ୟ ଏବଂ ଜାତୀୟ ଦିବସ ପାଳନ ପାଇଁ ବ୍ୟବହାର କରାଯାଇପାରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
Comments are closed.