Latest Odisha News

BREAKING NEWS

ନବୋଦୟ ଛାତ୍ର ମୃତ୍ୟୁ ଘଟଣା, ୧୧ ବର୍ଷ ପରେ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ୨୦୧୧ ନଭେମ୍ବର ୩ ତାରିଖ । ପୁରୀ ନବୋଦୟ ବିଦ୍ୟାଳୟ କ୍ୟାମ୍ପସ ଭିତରେ କ୍ରିକେଟ୍ ଖେଳିବା ବେଳେ ଆହତ ହୋଇଥିଲେ ଦ୍ୱାଦଶ ଶ୍ରେଣୀ ଛାତ୍ର ଜୟରାମ ଜେନା । ଜଣେ ଖେଳାଳିଙ୍କ ହାତରୁ ବ୍ୟାଟ୍ ଖସିଯାଇ ଜୟରାମଙ୍କ ମୁହଁରେ ବାଜିଥିଲା । ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ତୁରନ୍ତ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ଦିନକ ପରେ ମୃତ୍ୟୁ ହୋଇଥିଲା ।

ଇତି ମଧ୍ୟରେ ଏହି ଘଟଣାକୁ ୧୧ ବର୍ଷ ବିତିଲାଣି । ପୁଅର ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିବା ପରିବାର ୨୦୧୨ ସେପ୍ଟେମ୍ବର ୭ରେ ହାଇକୋର୍ଟରେ ଏକ ପିଟିସନ୍ ଦାଏର୍ କରିଥିଲେ । ଯେଉଁଥିରେ ଚିକିତ୍ସାରେ ବିଳମ୍ବ ପାଇଁ ଜୟରାମଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଥିଲେ ତାଙ୍କ ବାପା ଜଳଧର ଜେନା ।

ଏହି ମାମଲାର ବିଚାର କରି ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ୧୦ ଲକ୍ଷ ଟଙ୍କା ଜୟରାମଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ୪ ସପ୍ତାହ ମଧ୍ୟରେ ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ଧାର୍ଯ୍ୟ ସମୟରେ ଅର୍ଥ ରାଶି ନଦେଲେ ବାର୍ଷିକ ୫ ପ୍ରତିଶତ ସୁଧ ଦେବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି ।

Leave A Reply

Your email address will not be published.