Latest Odisha News

BREAKING NEWS

ଏଥର ଘାଣ୍ଟିବ ଇଡି, ଅର୍ଚ୍ଚନା ନାଗ ବିରୋଧରେ ହୋଇଥିବା ୨ଟି FIR କପି ହସ୍ତାନ୍ତର କଲା ପୋଲିସ୍

ଭୁବନେଶ୍ୱର: ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ଆର୍ଥିକ ଦେଣନେଣର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ହନିଟ୍ରାପ୍ ରାଣୀ ଅର୍ଚ୍ଚନା ନାଗ ବ୍ଲାକମେଲିଂ କରି କାହାଠପ କେତେ ଟଙ୍କା ଆଣିଛନ୍ତି, କେଉଁଠି ଖର୍ଚ୍ଚ କରିଛନ୍ତି । ଏବେ ଇଡି ଏସବୁର ଛାନଭିନ୍ ଆରମ୍ଭ କରିବ । ଅର୍ଚ୍ଚନା ନାଗ ବିରୋଧରେ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ମାମଲାର FIR କପିକୁ କମିଶନରେଟ୍ ପୋଲିସ ଇଡିକୁ ହସ୍ତାନ୍ତର କରିଛି ।

ନୟାପଲ୍ଲୀ ଥାନାରେ ଚଳଚ୍ଚିତ୍ର ପ୍ରଯୋଜକ ଅର୍ଚ୍ଚନାଙ୍କ ବିରୋଧରେ ଏତଲା ଦେଇଥିଲେ । ଯେଉଁଥିରେ ଅର୍ଚ୍ଚନା ବ୍ଲାକମେଲିଂ କରି ଭିଡିଓ ଭାଇରାଲ୍ ଧମକ ଦେଇ ୩ କୋଟି ଟଙ୍କା ମାଗୁଥିବା ଅଭିଯୋଗ କରିଥିଲେ ଅକ୍ଷୟ ପରିଜା । ସେହିଭଳି ଖଣ୍ଡଗିରି ଥାନାରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ବିରୋଧରେ ପୀଡ଼ିତା ଯୁବତୀ ଏତଲା ଦେଇଥିଲେ । ଅର୍ଚ୍ଚନା କିଭଳି ତାଙ୍କୁ ତାଙ୍କ ଜାଲରେ ଫସାଇ ବଡ଼ ବଡ଼ିଆଙ୍କୁ ବ୍ଲାକମେଲିଂ କରୁଥିଲେ ସେନେଇ ପୀଡ଼ିତା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ।

ଏବେ ପୋଲିସ, ଇଡିକୁ ୨ଟି ମାମଲାର ଏଫ୍ଆଇଆର୍ କପି ହସ୍ତାନ୍ତର କରିଛି । ଅର୍ଚ୍ଚନାଙ୍କ ହନିଟ୍ରାପରେ ରାଜ୍ୟର ଅନେକ ନେତା, ମନ୍ତ୍ରୀଙ୍କ ସହ ଅଫିସର ଫସିଥିବା ଏବଂ ବ୍ଲାକମେଲିଂର ଶିକାର ହୋଇ ଟଙ୍କା ଦେଇଥିବା କୁହାଯାଉଛି । ଏବେ ଇଡି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ବିଭିନ୍ନ ଆକାଉଣ୍ଟ, କମ୍ପାନୀର ଯାଞ୍ଚ ପରେ ଜଣାପଡ଼ିବ କାହାର କଳା ଟଙ୍କାରେ ଗଢ଼ି ଉଠିଥିଲା ସାମ୍ରାଜ୍ୟ ?

ଅର୍ଚ୍ଚନାଙ୍କ ନାଗ ଫାସରେ ଫସିଥିବା ବଡ଼ ବଡ଼ିଆ କଣ ନଗଦ ଟଙ୍କା ଦେଉଥିଲେ ନା ଦମ୍ପତିଙ୍କ ଆକାଉଣ୍ଟକୁ ଅନ୍ୟ କାହା ଜରିଆରେ ଟଙ୍କା ପଠାଉଥିଲେ ? ବ୍ଲାକମେଲିଂ ପରେ ମୋଟା ଅଙ୍କର ଟଙ୍କା ପାଇଁ ଦମ୍ପତି କାହାକୁ ମଧ୍ୟସ୍ଥି କରୁଥିଲେ କି ? ଏବେ ଇଡି ତଦନ୍ତ ପରେ ଖୋଲିବ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ସବୁ ଗୁମର ।

Leave A Reply

Your email address will not be published.