Latest Odisha News

ଅର୍ଚ୍ଚନା ନାଗ ହନିଟ୍ରାପ ମାମଲା, ଖଗେଶ୍ବର ପାତ୍ରଙ୍କ ଜାମିନ୍ ଆବେଦନର ରାୟ ସଂରକ୍ଷିତ

କଟକ: ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଦ୍ୱାରା ପରିଚାଳିତ ବହୁ ଚର୍ଚ୍ଚିତ ହନିଟ୍ରାପ ରାକେଟ୍ ମାମଲାରେ ଅଭିଯୁକ୍ତ ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନ ଉପରେ ଗୁରୁବାର ଓଡ଼ିଶା ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।

ଗତବର୍ଷ ନଭେମ୍ବର ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ଖଗେଶ୍ବର ପାତ୍ରଙ୍କ ବ୍ଲାକମେଲିଂ ରାକେଟରେ ହୋଇଥିବା ଆର୍ଥିକ କାରବାର ମାମଲାରେ ହାଇକୋର୍ଟ ତାଙ୍କ ଜାମିନ ଆବେଦନର ଶୁଣାଣି ଶେଷ କରିଥିଲେ। ମାମଲାର ଶୁଣାଣି ଶେଷ ହେବା ପରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିବା ଜଣାପଡ଼ିଛି। ଖଗେଶ୍ବର ପାତ୍ର ଏବେ ଜେଲରେ ଅଛନ୍ତି।

ଖଗେଶ୍ବର ପାତ୍ର, ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କ ବ୍ୟବସାୟିକ ସହଯୋଗୀ ବୋଲି ଜଣାପଡ଼ିଥିଲା। ଅର୍ଚ୍ଚନା ଓ ଖଗେଶ୍ବରଙ୍କ ମଧ୍ୟରେ ଆର୍ଥିକ କାରବାର ହୋଇଥିବା ଇଡି ତଦନ୍ତରୁ ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି। କେନ୍ଦ୍ରୀୟ ସଂସ୍ଥା ୨୦୧୭ରୁ ବ୍ୟାଙ୍କ କାରବାର ଲିଙ୍କ୍ ଠାବ କରିବା ସହ ତା’ ନିକଟରୁ ମୋବାଇଲ୍, କମ୍ପ୍ୟୁଟର, ହାର୍ଡଡିସ୍କ, ଆପତ୍ତିଜନକ ସାମଗ୍ରୀ ଓ ଗୋଟିଏ ଗାଡ଼ି ଜବତ କରିଛି।

ଜଗବନ୍ଧୁ ତାଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ସହ ପୁରୁଣା କାର୍ ବିକ୍ରି କରୁଥିଲେ। ଭୁବନେଶ୍ୱର ଉପକଣ୍ଠ ହଂସପାଳଠାରେ ଏକ ପୁରୁଣା କାର୍ ସୋ’ରୁମ୍ ନିର୍ମାଣ କରି ଖଗେଶ୍ବର ପାତ୍ର ନିଜର ବ୍ୟବସାୟ ବିସ୍ତାର କରିବା ପରେ ସେ ଏହି ସୋ’ରୁମରେ ବିପୁଳ ପରିମାଣର ପୁଞ୍ଜି ବିନିଯୋଗ କରିଥିବା ଜଣାପଡ଼ିଛି।

ରାଜନୈତିକ ନେତାଙ୍କ ସମେତ ହାଇପ୍ରୋଫାଇଲ ଲୋକଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରି ଏହି ଦମ୍ପତି ମାତ୍ର ୪ ବର୍ଷ ମଧ୍ୟରେ ୩୦ କୋଟିରୁ ଅଧିକ ଟଙ୍କା ଆୟ କରିଥିବା ଅଭିଯୋଗ ହୋଇଛି। ମନ୍ତ୍ରୀମାନେ, ବ୍ୟବସାୟୀଙ୍କ ସମେତ ଦୁଇ ସହଯୋଗୀ ଖଗେଶ୍ବର ପାତ୍ର ଓ ଶ୍ରଦ୍ଧାଞ୍ଜଳୀ ବେହେରାଙ୍କ ବିରୋଧରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା।

ସେପଟେ ଭୁବନେଶ୍ୱର ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବାଏହି ମାମଲାରେ ବୁଧବାର ଓଡ଼ିଶା ହାଇକୋର୍ଟ ଅର୍ଚ୍ଚନା ନାଗଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଗତ ଏପ୍ରିଲ ମାସରେ ନୟାପଲ୍ଲୀ ଥାନାରେ ହୋଇଥିବା ଏକ ମାମଲାରେ ତାଙ୍କୁ ଜାମିନ ମିଳିଥିଲା। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ପଞ୍ଜିକୃତ ଅନୁରୂପ ଏକ ମାମଲାରେ ଗିରଫ ହୋଇଥିବାରୁ ସେ ଜେଲରେ ରହିବେ।

Comments are closed.