ଭୁବନେଶ୍ୱର: ଚଳିତ ସପ୍ତାହରେ ସୋମବାର ଓ ମଙ୍ଗଳବାର ଲଗାତର ଦୁଇ ଦିନ ୩୦୦ରୁ କମ୍ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ଦେଶରେ ଆକ୍ଟିଭ୍ କେସ ବା ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଓଡ଼ିଶା ଶୀର୍ଷ ତିନିଟି ରାଜ୍ୟ ମଧ୍ୟରେ ରହିଛି। କେରଳରେ ସର୍ବାଧିକ ୧୦ ହଜାର ୧୨୨ ଜଣ ସକ୍ରିୟ ଆକ୍ରାନ୍ତ ମଙ୍ଗଳବାର ସୁଦ୍ଧା ରହିଥିବା ବେଳେ ଓଡ଼ିଶାରୁ ୪ ହଜାର ୨୩୦, ମହାରାଷ୍ଚ୍ରରୁ ୩ ହଜାର ୯୩୨ ଏବଂ ହରିଆଣା ଓ ଦିଲ୍ଲୀରେ ୩ ହଜାରରୁ ଅଧିକ ଆକ୍ଟିଭ୍ କେସ୍ ରହିଛି।
ମଙ୍ଗଳବାର ରାଜ୍ୟରେ ୨୯୧ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ଏହାର ପୂର୍ବଦିନ ୩୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅର୍ଥାତ ସୋମବାର ତୁଳନାରେ ପ୍ରାୟ ୨୬% ହ୍ରାସ ପାଇଥିଲା କରୋନା ଆକ୍ରାନ୍ତ। ଏପ୍ରିଲ ୨୮ରେ ସର୍ବାଧିକ ୫୭୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ ସଂଖ୍ୟା କମିବା ଆରମ୍ଭ ହୋଇଥିଲା। ୨୪ଟି ଜିଲ୍ଲାରେ ବ୍ୟାପିଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ପାଞ୍ଚଟି ଜିଲ୍ଲାରେ ୬୫% ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଧିକାଂଶ ଆକ୍ଟିଭ୍ କେସ୍ ସୁନ୍ଦରଗଡ଼, କଟକ, ନବରଙ୍ଗପୁର, ସମ୍ବଲପୁର ଓ ନୂଆପଡ଼ାର ରହିଥିବା ଜଣାପଡ଼ିଛି।
ସେହିପରି ପଜିଟିଭିଟି ହାର ମଧ୍ୟ ଦୁଇ ଦିନ ତଳେ ୫.୫୭%ରୁ ୫.୧୪%କୁ ଖସି ଆସିଛି, ଏବଂ ବୌଦ୍ଧ, ସୁବର୍ଣ୍ଣପୁର ଏବଂ ସମ୍ବଲପୁର ଭଳି ଜିଲ୍ଲାରେ ମଧ୍ୟ ସାପ୍ତାହିକ ପଜିଟିଭିଟି ହାର ହ୍ରାସ ପାଇଛି, ଯାହା ପୂର୍ବରୁ ୨୦% ବୃଦ୍ଧି ପାଇଥିଲା।
ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ଆକ୍ରାନ୍ତଙ୍କ ସଂଖ୍ୟା ଆଗକୁ ବଢ଼ି ନପାରେ, କିନ୍ତୁ ମେ ମାସ ମଧ୍ୟଭାଗରେ ଖସିବା ପୂର୍ବରୁ କିଛି ଦିନ ପାଇଁ ଦୈନିକ କୋଭିଡ୍ କେସ୍ ୨୦୦ ରୁ ୩୦୦ ମଧ୍ୟରେ ରହିପାରେ। ସାରା ଦେଶରେ ସଂକ୍ରମଣ ହାର କମିବାରେ ଲାଗିଛି। କିନ୍ତୁ ଆଉ କିଛି ଦିନ ସତର୍କ ରହିବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟସେବା ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି।
Comments are closed.