Latest Odisha News

BREAKING NEWS

ଜାତୀୟ ମାଗାଜିନରେ ପ୍ରକାଶ ପାଇବ କେଜିବିଭି ଛାତ୍ରୀଙ୍କ ସଫଳତାର କାହାଣୀ…

ଭୁବନେଶ୍ବର: ଜାତୀୟସ୍ତରୀୟ ମାଗାଜିନରେ ସ୍ଥାନ ପାଇବ କେଜିବିଭି ଛାତ୍ରୀଙ୍କ ସଫଳତାର କାହାଣୀ। ଜାତୀୟସ୍ତରୀୟ ହାଣ୍ଡବଲ୍ ଖେଳାଳୀ ବିଭୂତି ମୁଣ୍ଡାଗାଡ଼ିଆଙ୍କ ସଫଳତାର କାହାଣୀ ଜାତୀୟସ୍ତରୀୟ ମାଗାଜିନରେ ପ୍ରକାଶ ପାଇବ।

ମାଲକାନାଗିରି ଜିଲ୍ଲା ସିନ୍ଧ୍ରିମାଳ ସ୍ଥିତ କସ୍ତୁରବାଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ହେଉଛନ୍ତି ବିଭୂତି ମୁଣ୍ଡାଗାଡ଼ିଆ। ହାଣ୍ଡବଲ୍ ଖେଳ ପ୍ରତି ଥିବା ତାଙ୍କର ଶ୍ରଦ୍ଧା ଓ ସମର୍ପଣ ତାଙ୍କୁ ଆଜି ଜାତୀୟସ୍ତରରେ ପରିଚୟ ପ୍ରଦାନ କରିଛି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଆନୁକୂଲ୍ୟରେ କୃତୀତ୍ବ ହାସିଲ୍ କରିଥିବା ବିଦ୍ୟାର୍ଥୀଙ୍କ ସଫଳ କାହାଣୀକୁ ନେଇ ଏକ ମାଗାଜିନ୍ ପ୍ରସ୍ତୁତ କରାଯାଉଛି।

ଏହି ମାଗାଜିନରେ ବିଭୂତି ମୁଣ୍ଡାଗାଡ଼ିଆଙ୍କ କାହାଣୀକୁ ସ୍ଥାନିତ କରାଯିବା ରାଜ୍ୟ ପାଇଁ ଗର୍ବର ବିଷୟ। ଗୋଟେ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରି ଭବିଷ୍ୟତରେ ଏକ ବଡ଼ ଅନ୍ତର୍ଜାତୀୟ ଖେଳାଳୀ ହେବା ପାଇଁ ସ୍ବପ୍ନ ଦେଖିଛନ୍ତି ବିଭୂତି ମୁଣ୍ଡାଗୁଡ଼ିଆ। ବାପା ମିସ୍ତ୍ରୀ କାମ କରୁଥିବା ବେଳେ ମାଆ କରନ୍ତି ଛତୁ ଚାଷ। ଆର୍ଥିକ ସ୍ଥିତି ଭଲ ନଥିବା ସତ୍ତ୍ବେ କିଛି କରିବାର ଇଚ୍ଛାକୁ ପୂରଣ କରୁଛି କସ୍ତୁରବାଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ। ବର୍ତ୍ତମାନ ଏବେ ବିଭୂତି ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ପାଠ ପଢିବା ସହ ଖେଳ ପ୍ରତି ରୁଚି ରଖୁଥିବା ବିଭୂତି ଜିଲ୍ଲାସ୍ତରରେ ଓ ରାଜ୍ୟସ୍ତରରେ ଅନେକ ପ୍ରତିଯୋଗିତାରେ ବିଜୟୀ ହେବା ପରେ ଜାତୀୟସ୍ତରରେ ଖେଳିବା ପାଇଁ ମନୋନୀତ ହୋଇଥିଲେ।

ଜୁନିଅର ନ୍ୟାସନାଲ୍ ସ୍କୁଲ ସ୍ପୋର୍ଟ୍ସ ହ୍ୟାଣ୍ଡବଲ ଚାମ୍ପିୟନସିପ୍ ରେ ସେ ଭାଗ ନେଇ ରାଜ୍ୟ ପାଇଁ ଗୌରବ ଆଣିଦେଇଥିଲେ। ତାଙ୍କର ଏହି ସଫଳତାକୁ ସମ୍ମାନ ଜଣାଇ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଜାତୀୟ ମାଗାଜିନରେ ବିଭୂତିଙ୍କ କାହାଣୀକୁ ସ୍ଥାନ ଦେବାକୁ ଯାଉଛି।

ଉଲ୍ଲେଖଯୋଗ୍ୟ ଯେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗର ବାଳିକା ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ୨୦୦୪ ମସିହାରେ କସ୍ତୁରବାଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟରୁ ଯୋଜନା ଶୁଭାରମ୍ଭ ହୋଇଥିଲା।

Comments are closed.