Latest Odisha News

ମୋତେ ରାସ୍ତାରୁ ହଟାଇବାକୁ ଭଡ଼ାରେ ଗୁଣ୍ଡା ଅଣାଯାଉଛି: ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ବିଜେଡିରୁ ବହିଷ୍କୃତ ନେତା ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବୁଧବାର ଅଭିଯୋଗ କରିଛନ୍ତି ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ଏବଂ ତାଙ୍କୁ ନିପାତ କରିବା ପାଇଁ ଅପରାଧୀମାନଙ୍କୁ ଭଡ଼ାରେ ଅଣାଯାଉଛି।

ଗୋପାଳପୁର ବିଧାୟକ କହିଛନ୍ତି, ତାଙ୍କୁ ମିଳିଥିବା ସୂଚନା ଅନୁଯାୟୀ ଜଣେ ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ ନିପାତ କରିବା ପାଇଁ ଅପରାଧୀଙ୍କୁ ଭଡାରେ ଆଣିଛନ୍ତି। ଏହି ସୂଚନା ତାଙ୍କୁ ବିଶ୍ୱସ୍ତ ସୂତ୍ରରୁ ମିଳିଛି ବୋଲି ଦାବି କରିଛନ୍ତି। ପୂର୍ବତନ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, “ତଥ୍ୟ ଅନୁଯାୟୀ, ସେହି ବ୍ୟକ୍ତି ଜଣକ ତାଙ୍କ ବାଟରୁ ହଟାଇବାକୁ ଚାହୁଁଛନ୍ତି, କାରଣ ସେ ଭାବୁଛନ୍ତି ଯେ ମୁଁ ତାଙ୍କ ସ୍ୱାର୍ଥ ପ୍ରତି ବିପଦ ସୃଷ୍ଟି କରୁଛି”।

ସେ କହିଛନ୍ତି, ଯଦିଓ ତାଙ୍କୁ କେହି ସିଧାସଳଖ ଧମକ ଦେଇନାହାନ୍ତି କିମ୍ବା ଫୋନ୍ କରିନାହାନ୍ତି, ତଥାପି ତାଙ୍କ ଜୀବନ ପ୍ରତି ବିପଦ ଥିବା ସୂଚନା ମିଳୁଛି ବୋଲି ବରିଷ୍ଠ ନେତା କହିଛନ୍ତି, ଏହାର ତଦନ୍ତ ହେବା ଦରକାର। ଏବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ସବୁଠାରୁ ସ୍ୱଚ୍ଛ ଓ ଦକ୍ଷ ନେତା ବୋଲି କହିଛନ୍ତି। ତେଣୁ ତାଙ୍କୁ ସେ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ବିଧାୟକ କହିଛନ୍ତି।

ବିଧାୟକ ପାଣିଗ୍ରାହୀ ଆହୁରି ଅଭିଯୋଗ କରିଛନ୍ତି ଯେ ସେ ଜଣେ ଜନ ପ୍ରତିନିଧି ଓ ରାଜ୍ୟ ବିଧାନସଭାରେ ଗୋପାଳପୁରକୁ ପ୍ରତିନିଧିତ୍ୱ କରୁଥିବା ସତ୍ତ୍ୱେ ତାଙ୍କ ସହ ଆଲୋଚନା ନକରିବାକୁ ରାଜ୍ୟ ସରକାରୀ ଅଧିକାରୀମାନଙ୍କୁ କୁହାଯାଉଛି। ବିଧାୟକ ଏହା ମଧ୍ୟ କହିଛନ୍ତି ଯେ ଯଦି ତାଙ୍କର, ତାଙ୍କ ପରିବାର କିମ୍ବା ତାଙ୍କ କର୍ମୀଙ୍କୁ କିଛି ହୁଏ, ତେବେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଦାୟୀ ରହିବେ।

Comments are closed.