ନୂଆଦିଲ୍ଲୀ: ସୋମବାର ନୋଏଡ଼ାରେ ସାଢ଼େ ୩ କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଓଡ଼ିଶାର ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଆନ୍ଧ୍ରପ୍ରଦେଶରୁ ଏହି ଗଞ୍ଜେଇ ରାଜଧାନୀ ଦିଲ୍ଲୀକୁ ଚାଲାଣ ହେଉଥିଲା। ଇନ୍ଦ୍ରଜିତ ସେନାପତି ନାମକ ବ୍ୟକ୍ତିଙ୍କ ସହ ତାଙ୍କ ସହଯୋଗୀ ପଶ୍ଚିମବଙ୍ଗର ପରିତୋଷଙ୍କୁ ଗିରଫ କରାଯାଇଛି। ତେବେ ଉଭୟଙ୍କ ଘରେ କେଉଁ ଜିଲ୍ଲାର ତାହା ସ୍ପଷ୍ଟ ହୋଇପାରିନି।
ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଜୟପାଟଣା ବାଇପାସ ନିକଟରେ ଉଭୟଙ୍କୁ ଅଟକାଇଥିଲା ପୋଲିସ। ଦୁଇଟି କାରରୁ ପୁଲିସ ପ୍ରାୟ ୨.୪୫ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ପଚରାଉଚରା ବେଳେ ସେନାପତି ଦେଇଥିବା ସୂଚନା ଆଧାରରେ ପୁଲିସ ଏକ ଗୋଦାମରେ ଚଢ଼ଉ କରି ସେଠାରେ ଆଉ ପ୍ରାୟ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିଲା। ଜବତ ଗଞ୍ଜେଇର ମୂଲ୍ୟ କଳାବଜାରରେ ୪୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଚୋରା ଗଞ୍ଜେଇ ଚାଲାଣ ପାଇଁ ଚୋରା ଚାଲାଣକାରୀମାନେ ବ୍ୟବହାର କରୁଥିବା ଦୁଇଟି କାରକୁ ମଧ୍ୟ ଜବତ କରାଯାଇଛି।
ଗତ କିଛି ମାସ ହେବ ଏହି ଗ୍ୟାଙ୍ଗ ସେମାନଙ୍କ ରାଡାରରେ ଥିଲା ବୋଲି ପୁଲିସ କହିଛି। ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏମାନେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ, ଏହି ସୂଚନା ଆଧାରରେ ଗଞ୍ଜେଇ ଚାଲାଣ ଉପରେ ଚଢ଼ଉ କରାଯାଇଥିଲା। ନୋଏଡ଼ାରେ ଏହା ଏକ ବଡ଼ ଗଞ୍ଜେଇ ଜବତ ହୋଇଥିବା ବେଳେ ପୁଲିସ ଏ ନେଇ ଅଧିକ ତଦନ୍ତ ଚଳାଇଛି।
Comments are closed.