ଢେଙ୍କାନାଳ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସାଧାରଣ ଝଗଡ଼ା। ଆଉ ତାର ପରିଣାମ ଏତେ ଭୟଙ୍କର ହେବ, ତାହା କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ପାରିବାରିକ କଳହ ଓ ମଦ୍ୟପାନକୁ କେନ୍ଦ୍ର କରି ଜଣେ ଯୁବକ ଏମିତି ରକ୍ତମୁଖା ସାଜିଲେ ଯେ, ସ୍ତ୍ରୀ ଉପରେ ଥିବା ରାଗକୁ ନେଇ ସିଧାସଳଖ ଶ୍ୱଶୁର ଘରେ ନିଆଁ ଲଗାଇ ଦେଇଛନ୍ତି। ଅନ୍ଧାର ରାତିରେ ହୁତୁହୁତୁ ହୋଇ ଜଳିଗଲା ଆଶ୍ରୟସ୍ଥଳୀ। ମୁଣ୍ଡ ଗୁଞ୍ଜିବାକୁ ଥିବା ଘରଟି ଏବେ କେବଳ ପାଉଁଶ ଗଦାରେ ପରିଣତ ହୋଇଛି। ଢେଙ୍କାନାଳ ଜିଲ୍ଲା ରସୋଳ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗାଁରୁ ଆସିଥିବା ଏହି ଅଭାବନୀୟ ଘଟଣା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜ୍ଞାନରଞ୍ଜନ ଏବଂ ତାଙ୍କ ପତ୍ନୀ ଅନିତାଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପାରିବାରିକ ଅଶାନ୍ତି ଲାଗି ରହିଥିଲା। ଜ୍ଞାନରଞ୍ଜନ ପ୍ରାୟତଃ ମଦ ପିଇ ଘରକୁ ଆସିବା ସହ ବିନା କାରଣରେ ପତ୍ନୀଙ୍କ ସହ ମାରପିଟ୍ ଓ ଝଗଡ଼ା କରୁଥିଲେ। ନିଶାରେ ହିତାହିତ ଜ୍ଞାନ ଭୁଲିଯାଉଥିଲେ ଜ୍ଞାନରଞ୍ଜନ। ଶେଷରେ ସ୍ୱାମୀଙ୍କ ନିର୍ଯାତନା ସହି ନପାରି ଅନିତା ରାଗିଯାଇ ନିଜ ବାପଘର ଅର୍ଥାତ୍ ବିଦ୍ୟାଧରପୁର ଗାଁକୁ ପଳାଇ ଆସିଥିଲେ। କିନ୍ତୁ କଥା ସେତିକିରେ ସରିନଥିଲା।
ସ୍ତ୍ରୀ ଘର ଛାଡ଼ି ପଳାଇବା ଘଟଣା ଜ୍ଞାନରଞ୍ଜନଙ୍କୁ ଆହୁରି ଉତ୍କ୍ଷିପ୍ତ କରିଦେଇଥିଲା। ରାତିର ଅନ୍ଧକାର ଏବଂ ନିରବତାର ସୁଯୋଗ ନେଇ ଏହି ମଦ୍ୟପ ଜ୍ୱାଇଁ ସିଧା ପହଞ୍ଚିଥିଲା ଶ୍ୱଶୁର ଘରେ। କେହି କିଛି ବୁଝିବା କିମ୍ବା ଅଟକାଇବା ପୂର୍ବରୁ, ରାଗର ବଶବର୍ତ୍ତୀ ହୋଇ ସେ ଶ୍ୱଶୁର ଘରେ ନିଆଁ ଲଗାଇ ଦେଇଥିଲା।
ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଦେଖୁ ଦେଖୁ ଏହା ପୂରା ଘରକୁ ଗ୍ରାସ କରିନେଇଥିଲା। ଘର ଭିତରୁ ବାହାରୁଥିବା କଳା ଧୂଆଁ ଏବଂ ନିଆଁର ଝାସ ଦେଖି ପଡ଼ୋଶୀମାନେ ଆତଙ୍କିତ ହୋଇପଡ଼ିଥିଲେ। ଗାଁ ଲୋକେ ତୁରନ୍ତ ନିଆଁ ଲିଭାଇବାକୁ ପ୍ରୟାସ କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସୂଚନା ପାଇ ରସୋଳ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ୍ ଆରମ୍ଭ କରିଥିଲେ।
ଅଗ୍ନିଶମ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା। ଫଳରେ ଘଞ୍ଚ ଜନବସତି ଥିବା ଏହି ଅଞ୍ଚଳରେ ଆଖପାଖ ଘରଗୁଡ଼ିକ ଏକ ବଡ଼ ବିପଦରୁ ବର୍ତ୍ତି ଯାଇଥିଲେ। ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନହାନି ଘଟିନାହିଁ। କିନ୍ତୁ ଘର ଭିତରେ ଥିବା ଆସବାବପତ୍ର, ଧାନ, ଚାଉଳ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ସମ୍ପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଛି। କ୍ଷୟକ୍ଷତିର ପରିମାଣ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ବର୍ଷ ବର୍ଷର ପରିଶ୍ରମ ଗୋଟିଏ ରାତିରେ ପାଉଁଶ ହୋଇଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ରସୋଳ ଥାନା ପୋଲିସ ତୁରନ୍ତ ବିଦ୍ୟାଧରପୁର ଗାଁରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।