ମାଲକାନଗିରି: ମାଲକାନଗିରି ଜିଲ୍ଲାର କୋଟମାଟେରୁ ଗାଁର ଇର୍ମା ସୋଢି ନାମକ ଜଣେ ବ୍ୟକ୍ତି ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବା ସାବେରୀ ନଦୀର ମଧ୍ୟଭାଗରେ ଥିବା ଏକ ପଥର ଉପରେ ପ୍ରାୟ ୨୪ ଘଣ୍ଟା ଧରି ଫସି ରହିଥିଲେ।ପରେ ତାଙ୍କୁ ସୋମବାର ଦିନ ବିମାନ ଯୋଗେ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।
ତେବେ ସେ ଦିନ ମଜୁରିଆ କାମ ପାଇଁ ଛତିଶଗଡ଼ର ସୁକମା ଜିଲ୍ଲାର ତେଲାୱର୍ତ୍ତି ଗାଁକୁ ଯାଇଥିଲେ ଓ ଏକ କାଠ ଡଙ୍ଗା ସାହାଯ୍ୟରେ ଘରକୁ ଫେରୁଥିବା ସମୟରେ ଡଙ୍ଗାଟି ଅଧିକ ଜଳ ସ୍ରୋତରେ ମଝି ନଈରେ ଓଲଟି ପଡ଼ିଥିଲା। ଫଳରେ ସେ ରାତିସାରା ଏକ ବୁଡ଼ି ରହିଥିବା ଗଛ ଡାଳକୁ ଧରି ରହିଥିଲେ। ପରେ ନିକଟରେ ଥିବା ଏକ ପଥର ଉପରକୁ ଚଢ଼ି ଯାଇଥିଲେ।
ପରେ ସ୍ଥାନୀୟ ଗ୍ରାମବାସୀମାନେ ତାଙ୍କୁ ଦେଖି ମାଲକାନଗିରି ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ପରେ ଘଟଣା ସମ୍ପର୍କରେ ସୂଚନା ପାଇ ବିଧାୟକ ନରସିଂହ ମାଡ଼କାମି ରାଜ୍ୟ ସରକାରଙ୍କ ମାଧ୍ୟମରେ ହେଲିକପ୍ଟର ବ୍ୟବସ୍ଥା କରିବା ପାଇଁ ଛତିଶଗଡ଼ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ।
ପରିଶେଷରେ ଭାରତୀୟ ବାୟୁସେନାର ହେଲିକପ୍ଟର ଜଗଦଲପୁରରୁ ଘଟଣାସ୍ଥଳରେ ପହଞ୍ଚି ଇର୍ମାଙ୍କୁ ସଫଳତାର ସହ ସେଠାରୁ ଉଦ୍ଧାର କରିଥିଲା ଓ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
Comments are closed.