ଢେଙ୍କାନାଳ: ମ୍ୟାଟ୍ରିକ୍ ପରୀକ୍ଷାରେ କପି ରୋକିବାକୁ ଯାଇ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପରଜଙ୍ଗ ଥାନା ଅନ୍ତର୍ଗତ ବିରିବୋଲେଇ ଜନତା ସରକାରୀ ହାଇସ୍କୁଲରେ ୧୪୪ ଧାରା ଲଗାଯାଇଛି ।
ପ୍ରାପ୍ତ ସୂଚନାନୁଯାୟୀ, ଗତ ଶନିବାର ଦିନ ବିଦ୍ୟାଳୟରେ ଇଂରାଜୀ ପରୀକ୍ଷା ସମୟରେ କିଛି ଅଭିଭାବକ ଛାତ୍ରଛାତ୍ରୀମାନଙ୍କୁ କପି ଯୋଗାଉଥିବା ନେଇ ଅଭିଯୋଗ ହୋଇଥିଲା । ଯାହାଫଳରେ ସେମାନଙ୍କୁ ଘଉଡାଇବା ଲାଗି ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା ।
କଙ୍କଡାହାଡ ବିଇଓ ହରିହର ଦେହୁରୀ କହିଛନ୍ତି, ଜିଲ୍ଲା ପ୍ରଶାସନ ପକ୍ଷରୁ ପରୀକ୍ଷାକୁ ସୁଚାରୁ ରୂପେ ପରିଚାଳନା କରିବା ଲାଗି ସମସ୍ତ ପ୍ରଚେଷ୍ଟା କରାଯାଉଛି । ଏବେ ପରୀକ୍ଷା ବେଳେ ସ୍କୁଲରେ ପର୍ଯ୍ୟାପ୍ତ ପରିମାଣର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ । ଏଥିସହିତ ପୋଲିସ ମାଜିଷ୍ଟ୍ରେଟ୍ ମଧ୍ୟ ଉପସ୍ଥିତ ରହିବେ ।
ଏନେଇ ରବିବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, “ଅଭିଭାବକଙ୍କ ଏଭଳି କାର୍ଯ୍ୟ ଗ୍ରହଣଯୋଗ୍ୟ ନୁହେଁ ଏବଂ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।
ଏହି ଅବସରରେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍(ବିଏସଇ)ର ସଚିବ ଶ୍ରୀକାନ୍ତ କୁମାର ତରାଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କଟକ ଜିଲ୍ଳାର ୫ଟି ସ୍କୁଲରେ ଅତିରିକ୍ତ ସୁରକ୍ଷା ବଳଙ୍କୁ ମୁତୟନ କରିବା ଲାଗି କଟକ ଡିସିପି ଅଖିଳେଶ୍ୱର ସିଂହ ଏବଂ କଟକ (ଗ୍ରାମୀଣ) ଏସପି ଆରବି ପାଣିଗ୍ରାହୀଙ୍କୁ ପତ୍ର ଲେଖିଛନ୍ତି ।
Comments are closed.