Latest Odisha News

BREAKING NEWS

କରୋନା ଲକଡାଉନରେ ଖଣି ଅଞ୍ଚଳକୁ ଅଣଦେଖା ଅଭିଯୋଗ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ରାଜ୍ୟ ଲକଡାଉନ ହୋଇଥିବା ବେଳେ ଏଥିରୁ ଖଣି ଅଞ୍ଚଳ ବାଦପଡିଛି ବୋଲି ଅଭିଯୋଗ କରିଛନ୍ତି ଲୋକ ଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା।

ସମସ୍ତେ ଲକଡାଉନରେ ଘରେ ରହୁଥିବା ବେଳେ ଖଣି ଅଞ୍ଚଳରେ କାହିଁକି ସାମାଜିକ ଦୂରତା ବଜାୟ ରହୁନି ବୋଲି ସେ ଏକ ପ୍ରେସ ବିଜ୍ଞପ୍ତିରେ ଅଭିଯୋଗ କରିଛନ୍ତି।

ଆନ୍ଧ୍ର, ଛତିଶଗଡ଼, ତାମିଲନାଡୁ ଆଦି ରାଜ୍ୟରୁ ହଜାର ହଜାର ଟ୍ରକରେ ଖଣିଜ ଦ୍ରବ୍ୟ ତଥା କଞ୍ଚା ମାଲ ପରିବହନ ହେଉଛି। କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ସାମାଜିକ ଦୂରତା ପରି କୌଣସି କଟକଣା ଲାଗୁ ହେଉନି ବୋଲି ସେ କହିଛନ୍ତି।

ଆହୁରି ମଧ୍ୟ ସେ କହିଛନ୍ତି ଯେ ନିକଟ ଅତୀତରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ବଡ଼ବିଲ ଅଞ୍ଚଳର କମାରଯୋଡା ଓ ଜୁରୁଡି ଗ୍ରାମର ଲୋକେ ରାସ୍ତାରୋକ କରି ପରିବହନ ଓ ଖଣି ଖନନକୁ ବନ୍ଦ କରିବାକୁ ଦାବି କରିଥିଲେ ।

ଏହାବ୍ୟତୀତ କେନ୍ଦୁଝରରେ ୧୨୦ ଖଣି ଓ ୮୦ ଶିଳ୍ପ ମଧ୍ୟରୁ ଅଧିକାଂଶ ଚାଲୁରହିଥିବା ନେଇ ଅଭିଯୋଗ ହୋଇଛି। କରୋନା ଭୁତାଣୁ ସଂକ୍ରମଣ କୁ ରୋକିବା ପାଇଁ ସମସ୍ତ କମ୍ପାନୀ ତଥା ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ କରାଯାଇଥିଲା ବେଳେ ଖଣି ଅଞ୍ଚଳ ଗୁଡିକରେ କାମ ଚାଲିଛି। ଏପରିକି ସେହି ଅଞ୍ଚଳର ଶ୍ରମିକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇନାହିଁ ସେ ଅଭିଯୋଗ କରିଛନ୍ତି।

ତେବେ ଏହି ଅଞ୍ଚଳରେ କରୋନା ଭୁତାଣୁର ବିସ୍ତାରକୁ ରୋକିବା ପାଇଁ ସରକାର ତୁରନ୍ତ ଲକଡାଉନ ଲାଗୁ କରି ଲୋକଙ୍କ ସ୍ବାସ୍ଥ୍ୟପରୀକ୍ଷା କରିବା ସହ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ଦାବି କରି କହିଛନ୍ତି ଶ୍ରୀ ସାମନ୍ତରା।

Leave A Reply

Your email address will not be published.