Latest Odisha News

ନବ ଦାସ ହତ୍ୟା ଘଟଣା: କାହିଁକି ଅଭିଯୁକ୍ତ ଗୋପାଳ ଭାଇକୁ ହୋଟେଲ୍ ବନ୍ଦ କରିବାକୁ କହିଥିଲେ?

ବ୍ରହ୍ମପୁୁର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହୋଇଥିବା ଅଭିଯୁକ୍ତଙ୍କ ବଡ ଭାଇ ଘରକୁ ଫେରିଛନ୍ତି। ୩-୪ ଦିନ ଧରି ତଦନ୍ତକାରୀ ଟିମର ଜେରାର ସାମ୍ନା କରିବା ପରେ ସେ ଘରକୁ ଫେରିଛନ୍ତି। ଏହାପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ସାନ ଭାଇ ତଥା ଅଭିଯୁକ୍ତ ଗୋପଳ ଦାସ ଏଭଳି ହତ୍ୟାକାଣ୍ଡ ଘଟାଇବ ବୋଲି ସେ କେବେ ଭାବିନଥିବା କହିଛନ୍ତି।

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ତଥା ଅଭିଯୁକ୍ତଙ୍କ ବଡ ଭାଇ ସତ୍ୟନାରାୟଣ ଦାସ କହିଛନ୍ତି, ଜାନୁଆରୀ ୪ରେ ହୋଟେଲ ଖୋଲା ହୋଇଥିଲା। ସେ ମାର୍ଚ୍ଚ ୨୦୨୨ରେ ଅବସର ଗ୍ରହଣ କରିବା ପରେ ସାନଭାଇର ପରାମର୍ଶ କ୍ରମେ ବ୍ରଜରାଜନଗରରେ ହୋଟେଲ ଖୋଲିଥିଲେ। ତେବେ ହତ୍ୟା ଘଟଣାର ୩-୪ ଦିନ ପୂର୍ବରୁ ସମସ୍ତଙ୍କୁ ହୋଟେଲ ବନ୍ଦ କରି ଘରକୁ ଯିବାକୁ ଗୋପାଳ ପରାମର୍ଶ ଦେଇଥିଲେ। ଆଗକୁ ଏକ ବଡ଼ ଭୋଜିର ଆୟୋଜନ ହେବ। ତେଣୁ ହୋଟେଲ ବନ୍ଦ ରଖିବାକୁ ଗୋପାଳ ପରାମର୍ଶ ଦେଇଥିଲେ। ତେଣୁ ହୋଟେଲ କର୍ମଚାରୀ ଏବଂ ତାଙ୍କ ଭାଇ ଘରକୁ ଫେରିଥିଲେ। ଅର୍ଥାତ ଜାନୁଆରୀ ୨୮ଟୁ ହୋଟେଲ୍ ବନ୍ଦ ଥିଲା ବୋଲି  ଅଭିଯୁକ୍ତଙ୍କ ବଡ଼ ଭାଇ କହିଛନ୍ତି।

ଏହି ସମୟରେ ସେ ଅସୁସ୍ଥ ଅନୁଭବ କରିଥିବାରୁ ଗୋପାଳ ତାଙ୍କୁ ଡାକ୍ତର ଦେଖାଇବାକୁ କହିଥିଲେ। ତେବେ ଏହି ସମୟରେ ହତ୍ୟାକାଣ୍ଡ ଘଟିଥିଲା। ପରେ ବ୍ରହ୍ମପୁରର ଜଳେଶ୍ୱରଖଣ୍ଡିରୁ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ହତ୍ୟା ମାମଲାରେ ପଚରାଉଚରା କରିବା ପାଇଁ ସତ୍ୟନାରାୟଣଙ୍କୁ ଉଠାଇ ନେଇଥିଲେ। ପଚରାଉଚରା ବେଳେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ସେ ଦେଇଥିବା ଦର୍ଶାଇ ସେ ନିଜ ବ୍ୟାଙ୍କ ପାସବୁକ୍ ଓ ଆବଶ୍ୟକୀୟ ସମସ୍ତ ତଥ୍ୟ ସେମାନଙ୍କୁ ଦେଇଥିବା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗୋପାଳଙ୍କ ଅପରାଧ ଯୋଜନାରେ ଏହି ହୋଟେଲ ବନ୍ଦ ଥିଲା ନା ନାହିଁ ସେ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ହତ୍ୟାକାଣ୍ଡର କେନ୍ଦ୍ରସ୍ଥଳ ଏବଂ ହୋଟେଲ ମଧ୍ୟରେ ଦୂରତା ଏକ କିଲୋମିଟର ରହିଥିବା ସୂଚନା ମିଳିଛି।

 

Comments are closed.