Latest Odisha News

BREAKING NEWS

ମାଟ୍ରିକ ପରୀକ୍ଷାରେ କପି ପାଇଁ ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ଡିଲ୍!, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମାଟ୍ରିକ ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇ ଦେବାକୁ ଯୋଜନା। ଆଉ ଏହି ବେଆଇନ୍ ଉପୟାର ନାୟକ ସାଜିଛନ୍ତି ଖୋଦ୍ ପରୀକ୍ଷାର୍ଥୀଙ୍କ ବାପା ତଥା ଅଭିଭାବକ। ନିଜ ପିଲାକୁ ପରୀକ୍ଷାରେ ପାସ କରାଇବାକୁ କପି ଆବଶ୍ୟକ ରହିଥିବା ହୃଦବୋଧ କରି ଅଭିଭାବକ ଜଣଙ୍କ ପରୀକ୍ଷା କେନ୍ଦ୍ରର ଜଣେ ଶିକ୍ଷକଙ୍କ ମଧ୍ୟରେ କଥାବାର୍ତ୍ତା କରୁଥିବାର ଏକ ଅଡିଓ କ୍ଲିପ ଭାଇରାଲ ହୋଇଛି। ଯାହା ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିନ୍ତୁ ଏହାର ସତ୍ୟତା କଣ ତାହା ତଦନ୍ତସାପେକ୍ଷ।

ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ଷ୍ଟେଟ୍ ଇନଷ୍ଟିଚ୍ଯୁଟ୍ ଅଫ୍ ଓପନ୍ ସ୍କୁଲ୍ ସେଣ୍ଟରରେ ମାଟ୍ରିକ୍ ପରୀକ୍ଷା ଦେଉଥିବା 85 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଭାଇରାଲ୍ ଅଡିଓରେ ଶୁଣିବାକୁ ମିଳୁଛି ଯେ ଜଣେ ପରୀକ୍ଷାର୍ଥୀଙ୍କ ଅଭିଭାବକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ସହ କପିରେ ସାହାଯ୍ଯ କରିବାକୁ କହୁଛନ୍ତି। ଏଥିପାଇଁ ସେ ଆବଶ୍ୟକ ଟଙ୍କା ମଧ୍ୟ ଦେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି।

ଅଭିଭାବକଙ୍କ ଠାରୁ ମୋଟା ଅଙ୍କର ଅର୍ଥ ବଦଳରେ ପରୀକ୍ଷାକେନ୍ଦ୍ରରେ ନିୟୋଜିତ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ କପିରେ ସହଯୋଗ କରୁଥିବା ଅଭିଯୋଗ ହେଉଛି। ବିଡମ୍ବନାର ବିଷୟ, ଏହି ପରୀକ୍ଷା କେନ୍ଦ୍ରଟି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ। ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମୀର ଦାଶ କହିଛନ୍ତି।

ସେ କହିଛନ୍ତି, ମୁଁ ଅଭିଯୋଗ ସମ୍ପର୍କରେ ଅବଗତ ଅଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତିନି ଦିନ ମଧ୍ୟରେ ରିପୋର୍ଟ ଦେବାକୁ ବୋର୍ଡ ସଭାପତିଙ୍କୁ କୁହାଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମୀର ଦାଶ କହିଛନ୍ତି। ଅନ୍ୟପଟେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଙ୍ଗରାଜ ରଥ ଘଟଣା ସମ୍ପର୍କରେ ଅବଗତ ନଥିବା କହିଛନ୍ତି। ପରୀକ୍ଷା କେନ୍ଦ୍ରରେ ଅନିୟମିତତା ନେଇ କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ପ୍ରଧାନଶିକ୍ଷକ କହିଛନ୍ତି।

 

Comments are closed.