Latest Odisha News

BREAKING NEWS

ନଭେମ୍ବର ସୁଦ୍ଧା ୯ ମାଓପ୍ରବଣ ଜିଲ୍ଲାକୁ 4G ସେବା

ଭୁବନେଶ୍ୱର: ରାଜ୍ୟର ମାଓପ୍ରବଣ ଜିଲ୍ଲାରେ ଚଳିତ ବର୍ଷ ଶେଷ ସୁଦ୍ଧା 4G ସେବା ଯୋଗାଇ ଦିଆଯିବ। ନେଭେମ୍ବର ମାସ ଶେଷ ସୁଦ୍ଧା ୯ଟି ମାଓପ୍ରବଣ ଜିଲ୍ଲାକୁ 4G ସେବା ଯୋଗାଇ ଦିଆଯିବ ବୋଲି ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି।

ଆକାଂକ୍ଷୀ ଜିଲ୍ଲାର ୩୯୩୩ଟି ଗ୍ରାମକୁ 4G ସେବା ସହିତ ୨୩୭୯ଟି ଟାୱାର ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ କାର୍ଯ୍ୟ ଜାରି ରହିଛି। ନଭେମ୍ବର ମାସ ସୁଦ୍ଧା 4G ସେବା କାର୍ଯ୍ୟକ୍ଷମ ହେବା ନେଇ ଆଶା ରଖାଯାଇଥିବା ମନ୍ତ୍ରୀ କହିଛନ୍ତି।

ଗୁରୁବାର ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏନେଇ ଗୃହରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ସୌମ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ୯ଟି ନକ୍ସଲ ଉପଦ୍ରୁତ ଜିଲ୍ଲାରେ ଏଲ୍‌ଡବ୍ଲୁଇ ଫେଜ୍-୨ ପ୍ରକଳ୍ପ ଅଧୀନରେ 4G ସେବା ଯୋଗାଇବାକୁ ଲକ୍ଷ ରାଖାଇଯାଇଛି। ଏଥିପାଇଁ ୪୮୩ଟି ଟାୱାର ସ୍ଥାପନ କରିବାକୁ ଯୋଜନା କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁଛି ଓ ମାର୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରେ ବୋଲି ମନ୍ତ୍ରୀ କହିଛନ୍ତି।

କେବଳ ସେତିକି ନୁହେଁ, 4G ସାଚୁରେସନ୍ ପ୍ରକଳ୍ପ ଜରିଆରେ ୨୮୧୪ଟି ଗ୍ରାମକୁ 4G ସେବା ସହିତ ୧୬୨୮ଟି ଟାୱାର ସ୍ଥାପନ କରିବାକୁ ଯୋଜନା ରଖାଯାଇଥିବା ବେଳେ ଏନେଇ କାମ ଜାରି ରହିଛି। ଏହା ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଲକ୍ଷ୍ୟ ରଖାଯାଇଥିବା ବେଳେ କାର୍ଯ୍ୟକ୍ଷମ ଥିବା ୧ ହଜାର 2G ଟାୱାରକୁ 4Gରେ ପରିଣତ କରିବାକୁ ଯୋଜନା କରାଯାଇଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.