Latest Odisha News

BREAKING NEWS

ଆଜିଠୁ ହେବ ମୋହନ ଯୁଗ, ବଢିଲା ଭାବୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ଆଜିଠୁ ଓଡିଶାରେ ଆରମ୍ଭ ହେବାକୂ ଯାଉଛି ମୋହନ ଯୁଗ । ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି କେନ୍ଦୁଝର ବିଧାୟକ ମୋହନ ମାଝୀ । ଜୁନ୍ ୪ରେ ୨୪ ନିର୍ବାଚନ ଫଳ ଘୋଷଣା ପରେ ଚାଲିଥିଲା କସରତ, କିଏ ହେବ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ! ଆଉ ଗତକାଲି ଏହାକୁ ନେଇ ସବୁ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ବିଧାୟକ ଦଳ ବୈଠକ । ଆସିବାସୀ ଚେହେରା ତଥା ଜଣେ ସ୍ବଚ୍ଛ ଭାବମୂର୍ତ୍ତି ସମ୍ପନ୍ନ ବ୍ୟକ୍ତି ମୋହନ ମାଝୀଙ୍କ ନାଁ ମୁଖ୍ୟମନ୍ତ୍ରୀ ମୋହର ଲଗାଇଛନ୍ତି । ଆଜି ଶପଥ ପାଠ ପରେ ଓଡିଶାରେ ଚାଲିବ ମୋହନ ରାଜ୍ । ଏହାରି ଭିତରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଚାଲିଛି ନୂଆ ବାସଭବନର ଖୋଜ୍ । ଯେପର୍ଯ୍ୟନ୍ତ ଏକ ସ୍ଥାୟୀ ମୁଖ୍ୟମନ୍ତ୍ରୀ ବାସଭବନ ପ୍ରସ୍ତୁତି ହୋଇନାହିଁ ସେ ପର୍ଯ୍ୟନ୍ତ ନିଜର ୟୁନିଟ୍ ୪ରେ ଥିବା ସରକାରୀ ବାସଭବନରେ ରହିବେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସେଥିପାଇଁ ତାଙ୍କ ବର୍ତ୍ତମାନର ବାସଭବନର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ତାଙ୍କ ସରକାରୀ ବାସଭବନକୁ ସୁରକ୍ଷା ବଳୟରେ ଭିତରେ ରଖାଯାଇଛି । ଏଥିପାଇଁ ନିୟୋଜିତ ହୋଇଛନ୍ତି ସୁରକ୍ଷା କର୍ମୀ । ଏହା ସହିତ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ପରେ ତାଙ୍କୁ ଏକ ସ୍ବତନ୍ତ୍ର କାରକେଡ୍ ମଧ୍ୟ ପ୍ରଦାନ କରାଯାଇଛି ।

ତେବେ କାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୋହନ ମାଝୀଙ୍କ ନାଁ ମୁଖ୍ୟମନ୍ତ୍ରୀ ଘୋଷଣା ପରେ ପରେ ତାଙ୍କୁ ସୁରକ୍ଷା ଦେବାକୁ ପହଞ୍ଚି ଯାଇଥିଲେ ପୋଲିସଙ୍କ ସହ ଗାର୍ଡ । ଆଉ ଆଜି ତାଙ୍କୁ ଏକ ସ୍ବତନ୍ତ୍ର କାରକେଡ ପ୍ରଦାନ କରାଯାଇଛି । ଆଜି ସ୍ବତନ୍ତ୍ର କାରକେଡ ସହ ଯାଇ ଶପଥ ଗ୍ରହଣ ପୂର୍ବରୁ ସକାଳେ ବରପୁତ୍ରଙ୍କୁ ମାଲ୍ୟାର୍ପଣ କରିଥିଲେ ମୋହନ । ପରେ ତାଙ୍କ କାରକେଡ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟିଥିଲେ ।

ତେବେ ଏକ କାରକେଡରେ ମୋଟ ୯ଟି କାର ସଂପୃକ୍ତ ରହିଥାଏ । ଏକ ଓ୍ବାର୍ଣ୍ଣିଙ୍ଗ କାର, ଯାହା ସବୁ କାରର ପ୍ରାୟ ୨ କିମି ଆଗରେ  ସବୁ କିଛି ଚେକ୍ କରି ଚାଲିଥାଏ । ଏହା ସହିତ ଜଣେ ଆଡଭାନ୍ସ ପାଇଲଟ, ଜଣେ ପାଇଲଟ, ଗୋଟେ ଡିଏସପି କାର, ଗୋଟେ ଭିଆଇପି କାର ରହିଥାଏ । ଏହା ସହିତ ଏକ ଅତିରିକ୍ତ କାର ମଧ୍ୟ ରହିଥାଏ । ଏଥିସହିତ ଆମ୍ବୁଲାନ୍ସ, ଅଗ୍ନିଶମ ବାହାନୀ ମଧ୍ୟ ସାଙ୍ଗରେ ରହିଥାନ୍ତି । ଯାହା ଏବେ ମୋହନଙ୍କୁ ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପାଇଁ କିଛି ନିର୍ଦ୍ଦିଷ୍ଟ ବଙ୍ଗଳା ପ୍ରଦାନ କରାଯାଇନାହିଁ । ପୂର୍ବରୁ ରାଜ୍ୟ ସରକାରଙ୍କ ମୁଖ୍ୟ ଭାବରେ ୨୪ ବର୍ଷ କାର୍ଯ୍ୟକାଳରେ ନବୀନ ପଟ୍ଟନାୟକ ତାଙ୍କ ବ୍ୟକ୍ତିଗତ ଘର ନବୀନ ନିବାସରୁ କାର୍ଯ୍ୟ କରିଥିଲେ, ଯେହେତୁ ସେ କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ସେଠି ହିଁ କାର୍ଯ୍ୟ କରିଥିଲେ ତ ତାକୁ ହିଁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭାବରେ ଜଣା ଯାଉଥିଲା।

୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ନବୀନ, ଦିଆଯାଇଥିବା  ସରକାରୀ ଆବାସକୁ ଯିବା ପରିବର୍ତ୍ତେ ନିଜ ବାସଭବନରୁ କାମ କରିବାକୁ ପସନ୍ଦ କରିଥିଲେ। ଏହି ନିଷ୍ପତ୍ତି ରାଜ୍ୟର ରାଜନେତିକ ଇତିହାସରେ ଏକ ନିଆରା ଉଦାହରଣ ସୃଷ୍ଟି କରିଥିଲା । ପ୍ରାୟ ଏକ ଚତୁର୍ଥାଂଶ ଶତାବ୍ଦୀ ପାଇଁ, ସମସ୍ତ ସରକାରୀ ଏବଂ ପ୍ରଶାସନିକ କାର୍ଯ୍ୟ ନବୀନ ନିବାସରୁ ହିଁ କାର୍ଯ୍ୟକାରୀ ହୋଇଆସୁଥିଲା । ଯାହା ତାଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଏକ ଘର |

ଏହାପୂର୍ବରୁ ହେମାନନ୍ଦ ବିଶ୍ବାଳ ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର କ୍ଲବ ନିକଟରେ ଥିବା ଏକ କ୍ୟାପିଟାଲ ହସ୍ପିଟାଲ ସହିତ ଏଜି ସ୍କୋୟାରକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ଏକ ମହଲା ବିଶିଷ୍ଟ ସରକାରୀ ବାସଭବନରେ କାର୍ଯ୍ୟ କରୁଥିଲେ। ୧୯୯୫ ରେ ଜେ.ବି ପଟ୍ଟନାୟକ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦୁଇ ମହଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତର କରାଯାଇଥିଲା ଯାହା ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ କକ୍ଷ ଭାବରେ ବ୍ୟବହାର କରାଯାଉଛି । ଯାହାର ଡିଜାଇନ ମଧ୍ୟ ଗିରିଧର ଗାମାଙ୍ଗର ସରକାରୀ ବାସସ୍ଥାନ ଭାବରେ ମଧ୍ୟ ବ୍ୟବହୃତ ହୋଇଥିଲା |

ତେବେ ଏହାକୁ ନେଇ ସଂପୃକ୍ତ ଅଧିକାରୀ କହିଛନ୍ତି, ଯେବେଠୁ ନିର୍ବାଚନ ଫଳାଫଳ ବାହାରିଲାଣି ସେବେଠୁ ବିଜେପିର ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଚାଲିଛି ଉପଯୁକ୍ତ ବାସଭବନ ଖୋଜା । ଏନେଇ କିଛି ଅନେକ ଖାଲି କ୍ୱାର୍ଟର୍ସକୁ ବିଚାର ପାଇଁ ତାଲିକାଭୁକ୍ତ କରାଯାଇଛି। ଯାହା ଠିକ୍ ଭାବରେ ଚୟନ ହେବା ପରେ ଏହାର ମରାମତି କାର୍ଯ୍ୟ ଆରମ୍ଭ ହେବ । ସେପର୍ଯ୍ୟନ୍ତ ମୋହନ ମାଝୀ ତାଙ୍କ ବର୍ତ୍ତମାନର ସରକାରୀ ବାସଭବନରେ ଅସ୍ଥାୟୀ ଭାବରେ ରହିବେ ।

Comments are closed.