Latest Odisha News

BREAKING NEWS

ଆଗେ ଦାବି ପୂରଣ ତା’ ପରେ ୭ ଘଣ୍ଟା କାମ: ଶିକ୍ଷକ ସଂଘ

ଭୁବନେଶ୍ୱର : ଓଡିଶାର ବେସରକାରୀ କଲେଜର ଶିକ୍ଷକମାନେ ପ୍ରତିଦିନ ୭ ଘଣ୍ଟା ଡ୍ୟୁଟି କରିବା ନେଇ ରାଜ୍ୟ ସରକାର ଦେଇଥିବା ନିର୍ଦ୍ଦେଶକୁ କଡା ପ୍ରତିବାଦ କରିଛନ୍ତି।

ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘର ୬୬୨ ବର୍ଗର ସଭାପତି ଗୋଲକ ନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଶିକ୍ଷକମାନେ ସରକାରଙ୍କ ସମସ୍ତ ଆଦେଶକୁ ପାଳନ କରିବାକୁ ପ୍ରସ୍ତୁତ ଅଛନ୍ତି, ଯଦି ବିନା କୌଣସି ସର୍ତ୍ତରେ ସମାନ କାମକୁ ସମାନ ଦରମା କରିବେ । ଶିକ୍ଷାଦାନ ଲାଗି ଜଣେ ଅଧ୍ୟାପକଙ୍କୁ ମାନସିକ ଶାନ୍ତି ଆବଶ୍ୟକ ରହିଥାଏ । ସେହିପରି ପଢିବା ଲାଗି ପିଲାମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯିବା ଉଚିତ୍ । କ’ଣ ଏହି କଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ବୁଝାଇବାକୁ ପଡିବ, ଯିଏକି ଦିନେ ଛାତ୍ର ନେତା ଥିଲେ”? ବୋଲି ଶ୍ରୀଯୁକ୍ତ ନାୟକ ପ୍ରଶ୍ନ କରିଛନ୍ତି ।

ଆହୁରି ମଧ୍ୟ ଶ୍ରୀଯୁକ୍ତ ନାୟକ କହିଛନ୍ତି ଯେ, ଗତ ୨୦ ବର୍ଷ ଧରି ବିନା ଦରମାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢେଇ ଶିକ୍ଷକମାନେ ବହୁ ପ୍ରତିବଦ୍ଧତା ଦେଖାଇଛନ୍ତି । “ସରକାର ଆଗେ ସେମାନଙ୍କ ବୃତ୍ତିର ସୁରକ୍ଷା କରନ୍ତୁ, ତା’ପରେ ଚାବୁକ ଚଲାଇବେ । ଏହି ସମସ୍ୟାର ସମାଧାନ ମାସେ ଭିତରେ ପୂରଣ କରାଯାଉ, ନଚେତ୍ ଆମେ ଆମର କାର୍ଯ୍ୟପନ୍ଥା ସ୍ଥିର କରିବୁ ।

ସେହିପରି ୪୮୮ ବର୍ଗର ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଅଧ୍ୟକ୍ଷ ପବିତ୍ର ମାହାଲ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ “ଶିକ୍ଷକମାନଙ୍କ ବେତନ ଢାଞ୍ଚାରେ ପରିବର୍ତ୍ତନ ପ୍ରଥମ ପ୍ରାଥମିକତା ହେବା ଦରକାର । ଏଥିସହିତ ଅନୁଦାନ ପ୍ରାପ୍ତ ସମସ୍ତ ବେସରକାରୀ କଲେଜର ଅଧ୍ୟାପକମାନଙ୍କୁ ଗୋଟିଏ ବର୍ଗରେ ଅଣାଯିବା ଉଚିତ୍” ।

ଶିକ୍ଷକମାନଙ୍କର ବେତନ ଢାଞ୍ଚା ସମ୍ପର୍କରେ ଆଲୋଚନା କରି ଶ୍ରୀଯୁକ୍ତ ମାହାଲ କହିଛନ୍ତି, କିଛି ଶିକ୍ଷକମାନଙ୍କର ମାସିକ ବେତନ ୧.୨ ଲକ୍ଷ ଟଙ୍କା ରହିଥିବାବେଳେ ଆଉ କେତେକଙ୍କର ୨୦ ହଜାର ରହିଛି । ଏହାବ୍ୟତୀତ ଏପରିକି ଶିକ୍ଷକ ରହିଛନ୍ତି, ଯାହାଙ୍କର ମାସିକ ଦରମା ୫ ହଜାର ଟଙ୍କା । ଆହୁରି ମଧ୍ୟ ଶିକ୍ଷକମାନଙ୍କର ଦରମାରେ ଥିବା ଏହି ଅସମାନତାକୁ ରୋକି ଦିଆଯାଉ ଏବଂ ସରକାର ସମାନ କାମ ପାଇଁ ସମାନ ଦରମା ନୀତି ଆପଣାନ୍ତୁ । ତା’ପରେ ଯାଇ ଆମେ ସମସ୍ତ ନିୟମ ପାଳନ କରିବୁ ।

ତେବେ ୧ରୁ ୨ ଦିନ ମଧ୍ୟରେ ଆମେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ସହ ଏସମ୍ପର୍କରେ ଆଲୋଚନା କରିବା ସହ ଦାବି ପତ୍ର ଦେବୁ ବୋଲି ସମିତିର ସମ୍ପାଦକ ଅଟଳ ବଳ କହିଛନ୍ତି ।

Leave A Reply

Your email address will not be published.