ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ହାସଲ କରିଛି ବୋଲି ଶାସକ ଦଳ ବିଜୁ ଜନତା ଦଳ ଦାବି କରିଛି। ଦଳ କହିଛି ଯେ ରାଜ୍ୟର ଅଗ୍ରଗତିକୁ ପାଞ୍ଚଟି ପ୍ରମୁଖ ସୂଚକାଙ୍କ ଦ୍ୱାରା ମାପ କରାଯାଇପାରିବ ।
ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡ. ସନ୍ତ୍ରୁପତ ମିଶ୍ର ଓ ଡ. ସସ୍ମିତ ପାତ୍ର କହିଛନ୍ତି ଯେ, ରାଜ୍ୟରେ ବିଜେଡି କ୍ଷମତାକୁ ଆସିବା ପରଠାରୁ ଓଡ଼ିଶାରେ ସବୁ କ୍ଷେତ୍ରରେ ଅଭୂତପୂର୍ବ ଅଭିବୃଦ୍ଧି ଘଟିଛି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି, ଦକ୍ଷତା ଓ ସଂକଳ୍ପ ବଳରେ ଉଭୟ ଶିଳ୍ପ ଓ କୃଷି କ୍ଷେତ୍ରରେ ରାଜ୍ୟ ଚମତ୍କାର ପ୍ରଦର୍ଶନ କରିଛି। ରାଜ୍ୟରେ ଭିତ୍ତିଭୂମିର ବିକାଶ ଯୋଗୁଁ ପୁଞ୍ଜିନିବେଶ ପ୍ରବାହରେ ବ୍ୟାପକ ବୃଦ୍ଧି ଘଟିଛି ବୋଲି ସେମାନେ କହିଛନ୍ତି।
ଆଦିତ୍ୟ ବିର୍ଲା ଗ୍ପୁର ଶୀର୍ଷ ପଦବୀରୁ ଅବସର ନେଇ ନିକଟରେ ବିଜେଡିରେ ଯୋଗ ଦେଇଥିବା ଶ୍ରୀ ମିଶ୍ର କହିଛନ୍ତି ଯେ ରାଜ୍ୟର ଅର୍ଥନୀତିରେ ଶିଳ୍ପ କ୍ଷେତ୍ରର ଅଂଶ ୪୧.୩ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଜାତୀୟ ହାରାହାରି ୨୮.୫ ପ୍ରତିଶତ ତୁଳନାରେ ଯଥେଷ୍ଟ ଅଧିକ। ଏହା ଦର୍ଶାଉଛି ଯେ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟତୁଳନାରେ ୫୦ ପ୍ରତିଶତ ଆଗରେ ରହିଛି।
୨୦୧୬-୧୭ରେ ରାଜ୍ୟର ରପ୍ତାନି ୨.୨ ପ୍ରତିଶତ ଥିବା ବେଳେ ଏହା ପ୍ରାୟ ୧.୮ ପ୍ରତିଶତ ବୃଦ୍ଧି ପାଇ ୪.୧ ପ୍ରତିଶତରେ ପହଞ୍ଚିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଟ ଉତ୍ପାଦନ ମୂଲ୍ୟ ବୃଦ୍ଧି ୨୦୧୧-୧୨ରେ ୨.୯୯ ପ୍ରତିଶତଥିବା ବେଳେ ଏହା ୪.୨ ପ୍ରତିଶତକୁ ବୃଦ୍ଧି ପାଇଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟ ୧୮୬୦ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛି, ଯାହା ୧୧.୬୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିଛି ଏବଂ ୭.୩୩ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିଛି।
ଓଡ଼ିଶାରେ ନୂଆ ନିବେଶକମାନେ ଖୋର୍ଦ୍ଧା, ବାଲେଶ୍ୱର ଓ ଯାଜପୁର ଭଳି ଜିଲ୍ଲାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି ବୋଲି ବିଜେଡି କହିଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟ ବିଦେଶୀ ନିବେଶକଙ୍କ ବିଶ୍ୱାସ ଅର୍ଜନ କରିଛି, ଯେଉଁମାନେ ଗତ ସାତ ବର୍ଷ ମଧ୍ୟରେ ୧.୮୫ ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି ଏବଂ ଏକ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛନ୍ତି। ଖୋର୍ଦ୍ଧା, ଯାଜପୁର ଓ ବାଲେଶ୍ୱର ମଧ୍ୟ ବିଦେଶୀ ପୁଞ୍ଜିନିବେଶରୁ ଲାଭବାନ ହୋଇଛନ୍ତି।
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଏକ ରିପୋର୍ଟକୁ ଉଦାହରଣ ଦେଇ ବିଜେଡି ନେତା କହିଛନ୍ତି ଯେ ଓଡ଼ିଶାକୁ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ମିଳିଛି, ଯାହା ମହାରାଷ୍ଟ୍ର ପରେ ଦେଶରେ ସର୍ବାଧିକ।
Comments are closed.