Latest Odisha News

BREAKING NEWS

ନୂଆଦିଲ୍ଲୀର ହସ୍ତଶିଳ୍ପ ବଜାରରେ ପ୍ରଦର୍ଶିତ ହେବ ଓଡ଼ିଶାର ପଟ୍ଟଚିତ୍ର କଳା

ଭୁବନେଶ୍ୱର: ଓଡ଼ିଶାର ‘ପଟ୍ଟଚିତ୍ର କଳା’ ଦେଶର ପ୍ରସିଦ୍ଧ ପାରମ୍ପରିକ କଳା ମଧ୍ୟରୁ ଅନ୍ୟତମ । ଏଥିରେ ଓଡ଼ିଶାବାସୀଙ୍କ ଧାର୍ମିକ, ପୌରାଣିକ ଓ ଆଧ୍ୟାତ୍ମିକ ବିଶ୍ୱାସ ଜଡ଼ିତ । ପଟ୍ଟଚିତ୍ର କଳାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଓଡ଼ିଆଙ୍କ ଆସ୍ଥା ଏବଂ ପୁରୀ ଶ୍ରୀମନ୍ଦିରର ନୀତିକାନ୍ତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥାଏ । ଏହି ଉତ୍କୃଷ୍ଟ କଳାକାରିଗରୀକୁ ନେଇ ନୂଆଦିଲ୍ଲୀର ପ୍ରଗତି ମୈଦାନର ଭାରତ ମଣ୍ଡପଠାରେ ଆସନ୍ତା ୮ରୁ ଆୟୋଜିତ ହେବାକୁ ଯାଉଛି ହସ୍ତଶିଳ୍ପ ପ୍ରଦର୍ଶନୀ । ଏଥିରେ ଓଡ଼ିଶାର ପଟ୍ଟଚିତ୍ର କଳା ପ୍ରଦର୍ଶନୀ ସ୍ଥାନ ପାଇବ ଏବଂ ବିକ୍ରି ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ଜି-୨୦ ଶିଖର ସମ୍ମିଳନୀ ଅବସରରେ ଆୟୋଜିତ ଏହି ପ୍ରଦର୍ଶନୀ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହି ହସ୍ତଶିଳ୍ପ ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ହେବ । ବିଶେଷ କରି ଜିଆଇ ଟ୍ୟାଗ୍ ପ୍ରାପ୍ତ ସାମଗ୍ରୀ ଏବଂ ମହିଳା ଓ ଆଦିବାସୀ କାରୀଗରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏଠାରେ ପ୍ରଦର୍ଶିତ ହେବ । ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ଅନ୍ତର୍ଜାତୀୟ ପ୍ରତିନିଧି, ଗଣମାଧ୍ୟମ କର୍ମଚାରୀମାନେ ଏହି ହସ୍ତଶିଳ୍ପ ପ୍ରଦର୍ଶନୀକୁ ବୁଲି ଦେଖିବା ସହିତ ସ୍ଥାନୀୟ ଉତ୍ପାଦ କିଣିବାର ସୁଯୋଗ ପାଇବେ । ଏହା ଭାରତ ନିର୍ମିତ ସାମଗ୍ରୀକୁ ବିଶ୍ୱସ୍ତରରେ ପ୍ରୋତ୍ସାହିତ କରିବା ସହିତ ସ୍ଥାନୀୟ କାରୀଗରମାନଙ୍କୁ ଆର୍ôଥକ ଓ ବଜାର ସୁଯୋଗ ପ୍ରଦାନ କରିବ ।

ଜି-୨୦ ସଚିବାଳୟ ଦ୍ୱାରା ବୟନ ଶିଳ୍ପ ମନ୍ତ୍ରଣାଳୟ ଏବଂ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସହଯୋଗରେ ଏହି ପ୍ରଦର୍ଶନୀ ଆୟୋଜନ କରାଯାଉଛି । ପ୍ରାୟ ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସମେତ ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ, ଟ୍ରାଇଫେଡ୍‌, ସାରସ ଅଜୀବିକା ଭଳି କେନ୍ଦ୍ରୀୟ ସଂସ୍ଥାମାନେ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ ।

Leave A Reply

Your email address will not be published.