Latest Odisha News

BREAKING NEWS

୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓଡ଼ିଶା ମଣ୍ଡପକୁ ରୌପ୍ୟ ପୁରସ୍କାର

ନୂଆଦିଲ୍ଲୀ: ନୂଆଦିଲ୍ଲୀ ପ୍ରଗତି ମଇଦାନର ଭାରତ ମଣ୍ଡପମରେ ବୁଧବାର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଛି। ମେଳାରେ ଭାରତର ବିଭିନ୍ନ ରାଜ୍ୟର କଳା ସଂସ୍କୃତି ଏବଂ ବାଣିଜ୍ୟକୁ ପ୍ରଦର୍ଶିତ କରାଯାଇଥିବାବେଳେ, ଏଥିରେ ସ୍ଥାନ ପାଇଛି ଓଡ଼ିଶା ପାଭିଲିୟନ। ଆଉ ଓଡ଼ିଶା ପାଭିଲିୟନରେ ପ୍ରତିଫଳିତ ହୋଇଥିବା ବିକଶିତ ଓଡ଼ିଶାର ଛବି ପାଇଁ ରାଜ୍ୟକୁ ମିଳିଛି ରୌପପଦକ। କ୍ରମାଗତ ଭାବେ ତୄତୀୟ ଥର ପାଇଁ ପୁରସ୍କୃତ ହୋଇଛି  ଓଡ଼ିଶା। ଏହି ପଦକ ଗ୍ରହଣ କରିଛନ୍ତି ଦିଲ୍ଲୀ ସ୍ଥିତ ଓଡ଼ିଶା ପ୍ରମୁଖ ଆବାସିକ ଆୟୁକ୍ତ ବିଶାଲ ଗଗନ।

ପ୍ରକାଶଥାଉକି, ନଭେମ୍ବର ୧୭ରୁ ପ୍ରଗତି ମଇଦାନର ଭାରତ ମଣ୍ଡପମରେ ଆରମ୍ଭ ହୋଇଥିଲା ୪୩ ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା।  ଏହି ମେଳାରେ ଭାରତର ବିଭିନ୍ନ ରାଜ୍ୟର କଳା ସଂସ୍କୃତି ଏବଂ ବାଣିଜ୍ୟକୁ ପ୍ରଦର୍ଶିତ କରାଯାଉଥିବାବେଳେ ମେଳାରେ ସ୍ଥାନ ପାଇଥିଲା ଓଡ଼ିଶା ପାଭିଲିୟନ। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ମେଳାରେ ଓଡ଼ିଶା ପାଭିଲିୟନର ଷ୍ଟଲ ଉଦ୍‌ଘାଟନ କରିଥିଲେ। ବିକଶିତ ଭାରତ @୨୦୨୪ ଥିମ୍‌ରେ ଆରମ୍ଭ ହୋଇଥିବା ଏହି ଭାରତ ଆନ୍ତର୍ଜାତୀୟ ମେଳାର ଓଡ଼ିଶା ପାଭିଲିୟନରେ ମଧ୍ୟ ପ୍ରତିଫଳିତ ହୋଇଥିଲା ବିକଶିତ ଓଡ଼ିଶାର ଛବି।

ଭାରତ ମଣ୍ଡପମରେ ୬୦୦ ବର୍ଗ ମିଟର ଅଞ୍ଚଳରେ ଓଡ଼ିଶାର ପାଭିଲିୟନ କରାଯାଇଥିବାବେଳେ ଏଥିରେ ଓଡ଼ିଶାର ୨୫ଟି ଷ୍ଟଲ୍ ରହିଥିଲା। ଯେଉଁଥିରେ ଓଡ଼ିଶାର ମହିଳା ସଶକ୍ତିକରଣ, ମିଶନ ଶକ୍ତି, ଓରମାସ, କଫି, ଫିଲିଗିରି କାମ, କରୁଣା ଶାଢ଼ୀ, କଳା ଓ ସଂସ୍କୃତି ଏବଂ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରାଯାଇଛି।  ଓଡ଼ିଶାର ମନ୍ଦିର ଭାସ୍କର୍ଯ୍ୟର ମୁଖଶାଳା ମୁକ୍ତେଶ୍ୱର ତୋରଣ, କୋଣାର୍କ ମନ୍ଦିରର ପ୍ରତିରୂପ, ରତ୍ନଗିରିର ବୌଦ୍ଧ କୀର୍ତ୍ତିରାଜି ସହ ଅତ୍ୟାଧୁନିକ ବୁଲେଟ୍ ଟ୍ରେନ ଓ ଶିଳ୍ପ ପ୍ରଗତିର ଚିତ୍ର ଓଡ଼ିଶା ମଣ୍ଡପକୁ ଅଧିକ ଆକର୍ଷଣୀୟ କରିଥିଲା।

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତତ୍ତ୍ୱାବଧାନରେ ପ୍ରସ୍ତୁତ ଓଡ଼ିଶା ପାଭିଲିୟନରେ ଚଳିତ ବର୍ଷ ବିଭିନ୍ନ ବିଭାଗ ପକ୍ଷରୁ ମୋଟ ୨୫ଟି ଷ୍ଟଲ୍ ସ୍ଥାନ ପାଇଥିଲା । ବିଗତ ୧୪ ଦିନ ମଧ୍ୟରେ ଓଡ଼ିଶା ମଣ୍ଡପକୁ ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ ଆସିଥିବା ବେଳେ ମଣ୍ଡପରେ ୫୫ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିଲା । ଏହି ମେଳା ମାଧ୍ୟମରେ ଓଡ଼ିଶାକୁ ପର୍ଯ୍ୟଟନ ଏବଂ ବାଣିଜ୍ୟ ବୃଦ୍ଧି ପାଇବା ସହ ଏହା ଓଡ଼ିଶା ବିକାଶ ପାଇଁ ମାଇଲଷ୍ଟୋନ ହେବା ଲକ୍ଷ୍ୟ ରହିଛି।

ପୁରସ୍କାର ଗ୍ରହଣ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ‘ଓଡ଼ିଶା ମଣ୍ଡପ’ର ନିର୍ଦ୍ଦେଶକ ଅଶ୍ୱିନୀ କୁମାର ଭୋଇ, ପ୍ରଦର୍ଶନୀ ଅଧିକାରୀ ଦୀପକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.