Latest Odisha News

ବେଆଇନ ଟ୍ରେଡିଂ ଆପ୍‌ଠାରୁ ଦୂରେଇ ରହିବାକୁ ଓଡ଼ିଶା ପୋଲିସର ସଚେତନତା ଜାରି

ଭୁବନେଶ୍ୱର: ଲୋନ ଆପ୍ ଜରିଆରେ ଠକେଇ ହେବା ପରେ ଏବେ ଟ୍ରେଡିଂ ଆପ୍ ନାଁରେ ଚାଲିଛି ବେଆଇନ ଟିଟଫଣ୍ଡ ବେପାର। ଜମାକାରୀଙ୍କୁ ଆକୃଷ୍ଟ କରିବାକୁ ସ୍ୱତନ୍ତ୍ର ଆପ୍ ଜରିଆରେ ଠକୁଛନ୍ତି ଅଦୃଶ୍ୟ ଲୁଟେରା। ଏଥିପ୍ରତି ସାବଧାନ ରହିବାକୁ ଓଡ଼ିଶା ପୋଲିସ ପକ୍ଷରୁ ସତର୍କତା ଜାରି କରାଯାଇଛି। ବେଆଇନ ଟ୍ରେଡିଂ ଆପ୍‌ଠାରୁ ଦୂରେଇ ରହିବାକୁ ଟ୍ୱିଟର ଜରିଆରେ ଓଡ଼ିଶା ପୋଲିସ ସଚେତନତା ଜାରି କରିଛି।

ଅନଲାଇନ ପ୍ଲାଟଫର୍ମରେ ଅଳ୍ପ ଦିନରେ ଅର୍ଥ ଦୁଇଗୁଣ ହୋଇଯିବାର ପ୍ରଲୋଭନ ଦେଖାଇ ବହୁ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିବା ଭଳି ଘଟଣା ନଜରକୁ ଆସୁଛି। ଅର୍ଥନିବେଶ କରିବା ପୂର୍ଵରୁ ପ୍ରଥମେ ଟ୍ରେଡିଂ ଆପର ବିଶ୍ୱସନୀୟତାକୁ ଯାଞ୍ଚ କରିବାକୁ ଓଡ଼ିଶା ପୋଲିସ ପକ୍ଷରୁ କୁହାଯାଇଛି। ଟ୍ୱିଟର ଜରିଆରେ ଓଡ଼ିଶା ପୋଲିସ ଏହି ସତର୍କତା ଜାରି କରିଥିବା ବେଳେ ଏ ସଂକ୍ରାନ୍ତରେ ସବୁବେଳେ ସଚେତନ ରହିବାକୁ ସାବଧାନ କରାଯାଇଛି।

ଯଦି ଆପଣଙ୍କ ସହ ଏହି ଧରଣର ଠକେଇ ହେଉଛି ତେବେ ଆପଣ ସିଧାସଳଖ ସାଇବର କ୍ରାଇମ ପୋର୍ଟାଲରେ ରିପୋର୍ଟ କରିପାରିବେ। କିମ୍ବା ସାଇବର ଠକେଇ ପାଇଁ ୧୯୩୦ କୁ କଲ୍ କରି ଆପଣଙ୍କ ଅଭିଯୋଗ କରିପାରିବେ। ଆପଣ ସଚେତନ ରହିଲେ ହିଁ ଏଭଳି ଠକାମିରୁ ରକ୍ଷା ପାଇପାରିବେ।

Comments are closed.